ଭୁବନେଶ୍ୱର : ବିଳମ୍ବରେ ଆସି ଥରାଇଲାଣି ଶୀତ । ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୬ ଡିଗ୍ରୀକୁ ଖସିଲା ପାରଦ।ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲହରୀ ରହିବା ନେଇ ପାଣିପାଗ ବିଭାଗ ସତର୍କ କରିଛି ।
ଗତ ୨୪ ଘଣ୍ଟାରେ ସେମିଳିଗୁଡାଠାରେ ୬.୫ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି । ୮.୨ ଡିଗ୍ରୀ ଶୀତରେ ଥରୁଛି ଫୁଲବାଣୀ । ୧୦ ସହରରେ ୧୨ ଡ଼ିଗ୍ରୀ ତଳେ ରହିଛି ପାରଦ । ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ସ୍ୱାଭାବିକ ଠାରୁ ୩ ରୁ ୬ ଡ଼ିଗ୍ରୀ ଯାଏଁ କମ ରେକର୍ଡ ହୋଇଛି। ୧୫ ଡିଗ୍ରୀ ତଳେ ରେକର୍ଡ ହୋଇଛି ଟୁଇନସିଟି ଭୁବନେଶ୍ବର ଓ କଟକର ତାପମାତ୍ରା । ଉଭୟ ସହରରେ ୧୪.୮ ଡିଗ୍ରୀ ପାରଦ ରେକର୍ଡ ହୋଇଛି ।
ସେହିପରି ରାଜ୍ଯର ଅନ୍ୟ ସହରରେ ରେକର୍ଡ ହୋଇଥିବା ତାପମାତ୍ରା ରହିଛି ରାଉରକେଲା ୧୦.୨° ସେଲସିଅସ୍, ଝାରସୁଗୁଡା ୧୦.୩°, କେନ୍ଦୁଝର ୧୧.୬° ସେଲସିଅସ୍, ସମ୍ବଲପୁର ୧୩.୫°, ହୀରାକୁଦ ୧୪.୫°, ବାଲେଶ୍ୱର ୧୬°ସେଲସିଅସ୍ ,ପାରାଦ୍ୱୀପ ୧୬.୨°, ଗୋପାଳପୁର ୧୬.୬° ସେଲସିଅସ୍, ଚାନ୍ଦବାଲି ୧୬.୬°, ପୁରୀ ୧୮ଂସେଲସିୟସ ରେକର୍ଡ ହୋଇଛି।
ଅନ୍ୟପଟେ କୋରାପୁଟ ଲମତାପୁଟ ଅଞ୍ଚଳରେ ଘନ କୁହୁଡି ସାଙ୍ଗକୁ ହାଡ ଭଙ୍ଗା ଶୀତ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଘନ କୁହୁଡି ଯୋଗୁଁ ରାସ୍ତା ଉପରେ ଯାନବାହନ ଚଳାଚଳରେ ସମସ୍ୟା ଦେଖାଦେଇଛି l