ଭୁୁବନେଶ୍ୱର: ମହାନଦୀ ଜଳ ପ୍ରସଙ୍ଗରେ ବିଜୁ ଜନତା ଦଳକୁ ତୀବ୍ର ସମାଲୋଚନା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବିଜେଡିର ଜ୍ଞାନ ଆମକୁ ଦରକାର ନାହିଁ । ମହାନଦୀକୁ ନେଇ ବିଜେଡିକୁ ରାଜନୈତିକ ରୁଟି ସେକିବା ଆବଶ୍ୟକ ନାହିଁ । ଯାହା କରିବା କଥା ରାଜ୍ୟର ବିଜେପି ସରକାର କରିବ ।
ସେ କହିଛନ୍ତି, ୨୦୧୬ରେ ଆଲୋଚନା ପାଇଁ କେନ୍ଦ୍ର ସରକାର ବିଜେଡିକୁ ଦୁଇ ଥର ଡାକିଥିଲେ । ବିଜେଡି ସରକାରରେ ଥିବା ବେଳେ ଥରେ ବୈଠକକୁ ଗଲେ ଆଉ ଦୁଇ ଥର ଆଲୋଚନାକୁ ଗଲେ ନାହିଁ । ଆଜି ଯେଉଁଭଳି ଭାବେ ଉଚ୍ଚସ୍ୱରରେ କହୁଛନ୍ତି, ସେତେବେଳେ ଏ ସ୍ୱର କେଉଁଠି ଥିଲା ବୋଲି ପୃଥ୍ୱୀରାଜ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ତିନୋଟି ରାଜ୍ୟରେ ବିଜେପି ସରକାରରେ ରହିଛି । ମହାନଦୀ ମାମଲା ଟ୍ରିବ୍ୟୁନାଲରେ ବିଚାରଧୀନ ରହିଛି । ତଥାପି ରାଜ୍ୟ ସରକାର ଏହାକୁ ନେଇ ସବୁ ପ୍ରକାରର ଉଦ୍ୟମ ଜାରି ରଖିଛନ୍ତି ।
ଆଇନ ମନ୍ତ୍ରୀ କହିଛନ୍ତି, ବିଜେଡି ବିଧାନସଭା ଭିତରେ ଓ ବାହାରେ ଭିନ୍ନ ଭିନ୍ନ କଥା କହୁଛି । କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତାକୁ ସେତେବେଳେ ଅଗ୍ରାହ୍ୟ କଲେ । ତେଣୁ ଏବେ ବିଜେଡିକୁ କାନ୍ଦିବାର କୌଣସି ମାନେ ନାହିଁ । ଗତ ୮ ବର୍ଷ ଧରି ଜଣେ ଦକ୍ଷିଣ ଭାରତୀୟ ଲୋକଙ୍କ କଥାରେ ପଡି ବିଜେଡି ପରିଚାଳିତ ହେଉଥିଲା । ଏବେ ଜଣେ ଦକ୍ଷିଣ ଭାରତୀୟଙ୍କ ନେତାର ଇସାରେ ଚାଲିବାରେ ଏହି ଦଳକୁ କୌଣସି ଅସୁବିଧା ନାହିଁ ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।