ନୟାଗଡ଼: ପାରିବାରିକ କଳହର କରୁଣ କାହାଣୀ। ପୁଅ ପାଲଟିଲା ନର ରାକ୍ଷସ। ମାଆର ତଣ୍ଟି ଚିପି ଜୀବନରୁ ମାରିଦେଲା ନୃଶଂସ ପୁଅ। ନୟାଗଡ଼ ଜିଲ୍ଲା ଗଣିଆ ଥାନା କଳାସିମିଳି ଗାଁରେ ଘଟିଛି ଏହି ଘଟଣା। ମୃତ ମହିଳାଙ୍କ ନାଁ ସୁକାନ୍ତି ଦେଇ। ହତ୍ୟା କରିବା ପରେ ହତ୍ୟାକାରୀ ପୁଅ ଘଟଣାସ୍ଥଳରୁ ଫେରାର ମାରିଥିଲା। ଖବରପାଇ ପୋଲିସ ଘଟନସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଛେଦ କରିବାକୁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି।
ସୂଚନା ଅନୁସାରେ, ନିଶା ଖାଇ ୨୬ ବର୍ଷୀୟ କୁନା ଅନେକ ସମୟରେ ତା’ ମା’କୁ ମାରପିଟ କରେ। ମଦ ଖାଇବାକୁ ମା’କୁ ଟଙ୍କା ମାଗେ। ଏପରିକି ଯଦି ମାଆ ଠାରୁ ଟଙ୍କା ନ ମିଳେ ତେବେ ମାଆକୁ ଅହରହ ମାଡ ମାରିଥାଏ। ସେହିପରି ଶୁକ୍ରବାର କୌଣସି କଥାକୁ ନେଇ କୁନା ତାଙ୍କ ମା’ ସୁକାନ୍ତିଙ୍କୁ ପିଟି ଥିଲେ ବୋଲି ଗ୍ରାମବାସୀଙ୍କଠାରୁ ସୂଚନା ମିଳିଛି। ପରେ ରାତିରେ ସେ ତାଙ୍କ ମା’ଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ତେଣୁ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୋଲିସ କହିଥିଲା ଯେ ସୁକାନ୍ତିଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ। ଶବ ବ୍ୟବଚ୍ଛେଦ ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ତେଣୁ ଏବେବି ତଦନ୍ତ ଜାରି ରହିଛି।