ଆଜି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମଜୟନ୍ତୀ । ଓଡ଼ିଆ ସାହିତ୍ୟର ଜଣେ ଅବିସ୍ମରଣୀୟ ଅଧ୍ୟାୟ। ପ୍ରବନ୍ଧ, ରମ୍ୟ ରଚନା, ଉପନ୍ୟାସ, କ୍ଷୁଦ୍ରଗଳ୍ପ ଆଦି ସବୁ ବିଭାଗରେ ସେ ତାଙ୍କର ପାରଦର୍ଶିତା ଦେଖାଇଥିଲେ। ଖାଲି ସେତିକି ନୁହେଁ ସେ ଥିଲେ ଏକାଧାରରେ କବି, ସଂଗୀତକାର, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର, ପ୍ରାବନ୍ଧିକ ଓ ଶିଶୁ ସାହିତ୍ୟିକ। ଜଟିଳ ବ୍ୟାଧି, ବିଷାଦ, ବ୍ୟର୍ଥତା ଓ ନିଃସଙ୍ଗତା ତାଙ୍କ ଜୀବନର ଚିରସାଥୀ ଥିଲେ ହେଁ କବିପ୍ରାଣରେ ଥିଲା ହାସ୍ୟରସର ସ୍ୱତଃସ୍ପୂର୍ତ୍ତ ଉତ୍ସ। ଆଜି ସେହି ମହାନ କବିଙ୍କର ଜୟନ୍ତୀ। ତାଙ୍କ ଲେଖାରେ ଜୀବନର ଆନନ୍ଦମୟ ଭାବନା ଜଡ଼ିତ ଥାଏ।
୧୮୮୮ ଡିସେମ୍ବର ୯ ତାରିଖରେ ଜନ୍ମ ଗ୍ରହଣ କରିଥିଲେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର । ପିଲାଟି ବେଳୁ ସାହିତ୍ୟ ପ୍ରତି ସେ ଆକର୍ଷିତ ଥିଲେ। ତାଙ୍କର ଚମତ୍କାର ଲେଖା ଯୋଗୁଁ ତାଙ୍କୁ ଓଡ଼ିଆ ସାହିତ୍ୟ ଜଗତର ମଉଡ଼ମଣିର ଆଖ୍ୟା ଦିଆଯାଇଥିଲା । ଓଡ଼ିଶାର ଜାତୀୟ ସଙ୍ଗୀତ ମାନ୍ୟତା ପାଇଥିବା ‘ବନ୍ଦେ ଉତ୍କଳ ଜନନୀ’ ତାଙ୍କ ଲେଖନୀରୁ ନିସୃତ। କାନ୍ତ କବିଙ୍କ କବିତାରେ ଭରସା ଓ ପ୍ରତ୍ୟୟର ବାଣୀ ସ୍ପଷ୍ଟ ଥାଏ। ଅନେକ ରଚନାରେ ସେ ଶିଶୁ ସୁଲଭ ସରଳତା ଓ ଇଶ୍ୱରଙ୍କ ଉପରେ ବିଶ୍ୱାସ ପରିଲକ୍ଷିତ ହୋଇଥାଏ। ‘ବୁଢ଼ା ଶଙ୍ଖାରି’ ଗଳ୍ପ ହେଉ କିମ୍ବା ‘ଜୀବନ ସଙ୍ଗୀତ’ କବିତା, ଉଭୟ ପଦ୍ୟ ଓ ଗଦ୍ୟ ପାଇଁ ସେ ପାଠକଙ୍କ ନିକଟରେ ଆଦୃତ ହୋଇଥିଲେ ।
ଇଂରେଜ ଶାସନ ସମୟରେ ଦେଶପ୍ରେମରେ ଉବୁଟୁବୁ ହୋଇ ସାଧାରଣ ଜନତାଙ୍କୁ ଇଂରେଜ ବିରୋଧର କରାଯାଉଥିବା ସବୁ ଆନ୍ଦୋଳନରେ ଯୋଗଦାନ ପାଇଁ ପ୍ରବର୍ତ୍ତାଇବା ପାଇଁ ଏବଂ ସେମାନଙ୍କୁ ଜାତୀୟତା ପ୍ରତି ଆକର୍ଷିତ କରିବା ପାଇଁ କାନ୍ତକବି ଶ୍ରୀ ମହାପାତ୍ର ନିଜର କଲମର ସାହାଯ୍ୟ ନେଇଥିଲେ।ସେହି କଲମ ବଳରେ ସେ ଲୋକଙ୍କୁ ଅସହଯୋଗ ଆନ୍ଦୋଳନରେ ସାମିଲ ହେବାକୁ ପ୍ରବର୍ତ୍ତାଇବା ପାଇଁ ସେ ଅନେକ ଦେଶପ୍ରେମୀ କବିତାମାନ ରଚନା କରିଥିଲେ।କବିତାକୁ ନିଜର ଅସ୍ତ୍ର ଭାବରେ ବ୍ୟବହାର କରିଥିବା କାନ୍ତକବିଙ୍କ ରଚିତ ଦେଶାତ୍ମବୋଧ କବିତା ମାନ ଲୋକମାନଙ୍କୁ ଏକଜୁଟ କରିବାରେ ସାହାଯ୍ୟ କରିଥିଲା । ସଙ୍ଗୀତ ପ୍ରତି ତାଙ୍କର ଯେଉଁ ଆକର୍ଷଣ ଥିଲା ତାହା ତାଙ୍କୁ ପ୍ରେରଣା ଯୋଗାଉଥିଲା। କାନ୍ତକବି ଲକ୍ଷ୍ମୀକାନ୍ତ ଚିର କାଳ ପାଇଁ ଅବିସ୍ମରଣୀୟ ।
ଅଧିକ ପଢନ୍ତୁ :ଆସନ୍ତା ୧୨ ତାରିଖରେ ପାଳନ ହେବ ତୃତୀୟ ମହୋଦଧି ଦିବସ