ଆଜି ସୁଦଶା ବ୍ରତ। ଆମ ଓଡ଼ିଆ ଘରେ ପରମ୍ପରା ଅନୁଯାୟୀ ଅନେକ ବ୍ରତ ପାଳନ କରାଯାଏ । ସେଥି ମଧ୍ୟରୁ ସୁଦଶା ବ୍ରତ ହେଉଛି ଅନ୍ୟତମ । ବାର ମଧ୍ଯରେ ଯେମିତି ଗୁରୁବାର ମା ଲକ୍ଷ୍ମୀଙ୍କ ପ୍ରିୟ ଅଟେ। ଏହି ବ୍ରତଟି ମା ଲକ୍ଷ୍ମୀଙ୍କ ଅତି ପ୍ରିୟ ଅଟେ। କୌଣସି ମାସର ଶୁକ୍ଳ ପକ୍ଷ ଦଶମୀ ତିଥି ଗୁରୁବାର ଦିନ ପଡେ ତେବେ ସେହି ଦିନ ସୁଦଶା ବ୍ରତ ପାଳନ କରାଯାଏ । ଯଦି ବିବାହ ମାସରେ ଏହି ଏହି ତିଥି ପଡେ ଏହାକୁ ନୂଆ ସୁଦଶା ବ୍ରତ କୁହାଯାଏ ।ସୁଦଶା ଶବ୍ଦର ଅର୍ଥ ହେଉଛି ସୁ ଅର୍ଥ ଶୁଭ, ଦଶାର ଅର୍ଥ ଦଶାଙ୍କ ମହତ୍ଵ। ଏହି ଦିନ ନୂଆ ବିବାହିତା ମହିଳା ମାନେ ନୂଆ ବ୍ରତ କରିଥାନ୍ତି।
ଏହି ଦିନ ସକାଳୁ ସକାଳୁ ଉଠି ନାରୀମାନେ ଘର ଦ୍ୱାର ଲିପା ପୋଛା କରନ୍ତି। ଘର ଦୁଆର ମୁହଁରେ ଝୋଟି ଚିତା ଆଙ୍କନ୍ତି । ସମସ୍ତ ରୀତିନୀତି ସହ ବିଭିନ୍ନ ପ୍ରକାରର ପିଠାପଣା କରି ପୂଜା ପାଠ କରିଥାନ୍ତି ।ପୂଜା କଲାବେଳେ ଦଶ ପାଖୁଡ଼ା ପଦ୍ମ, ଦଶବର୍ଣ୍ଣ ମୁରୁଜ, ଦଶମୁଖୀ ଦୀପ, ଦଶମୁଠି ଚାଉଳ, ଦଶମେଞ୍ଚା କଦଳୀ, ଦଶଗୋଟି ମଣ୍ଡା ପୂଜା କରାଯିବାର ବିଧି ରହିଛି । ଲକ୍ଷ୍ମୀଙ୍କ ଏହି ବ୍ରତରେ ସବୁ ପ୍ରକାର ଫଳ, ପିଠା ୧୦ ଗୋଟି ହୋଇଥାଏ ଓ ମା ଲକ୍ଷ୍ମୀଙ୍କ ନାମ ଉଚ୍ଚାରଣ କରାଯାଇ ପୂଜା କରାଯାଏ ।
ମହିଳା ମାନେ ୧୦ ଗୋଟି ଗଣ୍ଠି ଦେଇ ବ୍ରତ ଧାରଣ କରିଥାନ୍ତି । ନାରୀ ମାନେ ୧୦ ଗୋଟି ଗଣ୍ଠି ଧାରଣ କରିବା ସମୟରେ ୧୦ଟି ନାମ ଜପ କରିଥାନ୍ତି। କାରଣ ଏହି ବ୍ରତର ପ୍ରତୀକ ରୂପେ ଲକ୍ଷ୍ମୀଙ୍କ ଦଶନାମ ଉଚ୍ଚାରଣ କରାଯାଏ । ଯେମିତି କି ଲକ୍ଷ୍ମୀନାରାୟଣୀ, କମଳିନୀ, ଶ୍ରୀ ହରିପ୍ରିୟା, ପଦ୍ମାଳୟା, କମଳା, ଚଞ୍ଚଳା, ବିଘ୍ନସେନୀ, ସିନ୍ଧୁର ଦୁଲ୍ଲଣୀ, ଦୁର୍ଗତି, ବିଷ୍ଣୁ ପାଟରାଣୀ । ଏହା ଛଡା ସେହି ବ୍ରତକୁ ପରବର୍ତ୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ ବାହୁରେ ଧାରଣ କରାଯାଏ । ମା ଙ୍କର ଏହି ବ୍ରତକୁ ଓଡିଆ ଘରର ବୋହୁ ସଦାବେଳେ ନିଜ ବାହୁରେ ଧାରଣ କରିଥାଏ।ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ଧନ, ସମ୍ପତ୍ତି, ସୁଖ ସମୃଦ୍ଧିରେ ଘର ପୁରି ଉଠେ। ଏହି ବ୍ରତକୁ ଅନେକ କାହାଣୀ ରହିଛି।
ଏହି ବ୍ରତ ପ୍ରଥମେ ବିଧର୍ବ ଦେଶର ରାଜା ନଅଙ୍କ ପାଟରାଣୀ ଦମୟନ୍ତୀ ଆରମ୍ଭ କରିଥିଲେ । ପୌରାଣିକ କଥା ଅନୁସାରେ ଦିନେ ଦୀକ୍ଷା ବ୍ରାହ୍ମଣୀ ଜଳରୁ ପାଣି ଆଣିବା ବେଳେ ବ୍ରତ ହଜାଇ ଦେଇଥିଲେ । ବ୍ରତ ହଜି ଯିବାରୁ ବ୍ରାଂହନି କାନ୍ଦିବା ବେଳେ ନଳ ରାଜା ତାଙ୍କୁ ସାହାଯ୍ୟ କରିବା ପାଇଁ ନିଜ ସ୍ତ୍ରୀ ଦମୟନ୍ତୀଙ୍କ ଠାରୁ ବ୍ରତ ଆଣି ବ୍ରାହ୍ମଣୀଙ୍କୁ ଦେଇଥିଲେ । ବ୍ରତ ଦେବା ପରେ ଦୁହେଁ ରାଜା ଓ ରାଣୀ ଶ୍ରୀହୀନ ହୋଇ ଯାଇଥିଲେ । ଏହାପରେ ପୁଣି ମା ଲକ୍ଷ୍ମୀଙ୍କ ଶରଣରେ ପଶି ଏହି ବ୍ରତ କଲାପରେ ପୁଣି ପୂର୍ବବସ୍ଥାକୁ ଫେରିଥିଲେ। ସେହି ଦିନ ଠାରୁ ସବୁ ବିବାହିତା ନାରୀ ମାନେ ଐଶ୍ବର୍ୟ୍ଯ ପ୍ରାପ୍ତି ପାଇଁ ଏହି ବ୍ରତ ପାଳନ କରୁଛନ୍ତି ।