ରାଜ୍ୟରେ କିଛି ଦିନ ହେବ ରାତିର ସର୍ବନିମ୍ନ ତାପମାତ୍ରାରେ ତୀବ୍ର ହ୍ରାସ ଘଟିଛି । ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥଣ୍ଡା ଅନୁଭୂତ ହେଉଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ରାଜ୍ୟରେ ଧୀରେ ଧୀରେ ଶୀତର ଲହରି ବୃଦ୍ଧି ପାଉଛି ।
ଏହାରି ମଧ୍ୟରେ କନ୍ଧମାଳରେ ଗତ ଚାରି ଦିନ ହେଲା ରାତି ତାପମାତ୍ରା କ୍ରମାଗତ ଭାବେ ଖସିବାରେ ଲାଗିଛି । ସୁଲୁସୁଲିଆ ପବନ ସାଙ୍ଗକୁ ଚାରିଆଡେ ଘନ କୁହୁଡି ନଜରକୁ ଆସିଛି । ଗତକାଲି କନ୍ଧମାଳ ଜିଲ୍ଲାର ଫୁଲବାଣୀ ଏବଂ ଜି ଉଦୟଗିରି ର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ କରାଯାଇଛି । ଆଉ ଏପଟେ ଭୁବନେଶ୍ବରରେ ପାରଦ ୨୦ ଡିଗ୍ରୀ ତଳକୁ ଖସିଛି । ସେହିପରି କଳାହାଣ୍ଡି, କୋରାପୁଟ ଏବଂ ଭଦ୍ରକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟମରୁ ଘନ କୁହୁଡି ଅନୁଭୀତ ହୋଇଛି । ରାଜ୍ୟର ଉତ୍ତର ଉପକୂଳ ଜିଲ୍ଲାର ଗୋଟିଏ ୨ଟି ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ ନାହିଁ । ଆଗାମୀ ୧ ତାରିଖ ଠାରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାଗୁଡ଼ିକରେ ହାଲୁକା ବର୍ଷାର ସମ୍ଭାବନା ରହିଛି । ବଙ୍ଗୋପସାଗରରୁ ପୂର୍ବାଳୁ ତରଙ୍ଗ ସ୍ଥଳଭାଗ ଆଡ଼କୁ ବହିବ । ଯାହାଦ୍ବାରା ୧ ତାରିଖ ରୁ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି । ପୁରୀ, ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ, ଖୋର୍ଦ୍ଧା, କନ୍ଧମାଳ ଓ ରାୟଗଡା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହି ବର୍ଷା ସାଙ୍ଗଙ୍କୁ ବଜ୍ରପାତ ହେବା ନେଇ ପୂର୍ବାନୁମାନ ପ୍ରକାଶ ପାଇଛି । ମୌସୁମୀ ଅପସାରଣ ପରେ ରାଜ୍ୟରେ ଖରାଟିଆ ରହୁଥିବା ବେଳେ ଆକାଶ ମେଘମୁକ୍ତ ରହୁଛି ।
ଯାହାଦ୍ବାରା ରାଜ୍ୟରେ ପୂର୍ବ ଅପେକ୍ଷା ଥଣ୍ଡା ବଢ଼ିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଗ ଶୁଖୁଲା ରହିଥିବାବେଳେ ଥଣ୍ଡା ବଢ଼ିଛି । ରାଜ୍ୟରେ ସର୍ବନିମ୍ନ ରାତି ତାପମାତ୍ରା ୨ ରୁ ୩ ଡିଗ୍ରୀ ଯାଏଁ ହ୍ରାସ ପାଇଛି । ଆଗକୁ ତାପମାତ୍ରା ଆହୁରି କମିବ ବୋଲି ସୂଚନା ମିଳିଛି । ଏବେ ଦିନର ସର୍ବୋଚ୍ଚ ତାପମାତ୍ରା ସ୍ଵାଭାବିକଠାରୁ ୨ ରୁ ୩ ଡିଗ୍ରୀ କମ୍ ରହୁଛି ।
ଆଗକୁ ପଢନ୍ତୁ :- ଏବେ ନନ୍ଦନକାନନରେ ଦେଖିବାକୁ ମିଳିଛି ବଙ୍କା ଥଣ୍ଟିଆ ବଗ