ଭୁବନେଶ୍ୱର : ଖରା ମାଡରେ ଗୋଡ ହାତ ସିଝି ଯାଉଛି । କୁହାଯାଏ ମାଘ ମାସରେ ବାଘ ଭଣିଆ ଜାଡ ହୁଏ । ଶୀତ ଅନୁଭବ ହେବା ପରିବର୍ତ୍ତେ ଗରମରେ ଦେହ ହାତ ଜଳି ଯାଉଛି । ଓଡ଼ିଶାରେ ଶୀତର ପ୍ରକୋପ ହ୍ରାସ ପାଇଛି ଆଉ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର ହେଲାଣି । ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ତାତି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତ ଆକାଶ ସହ ସୂର୍ଯ୍ୟଙ୍କ ଟାଣ କିରଣ ପାଇଁ ତାତି ବୃଦ୍ଧି ପାଉଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।
ଗତ ୨୪ ଘଣ୍ଟାରେ ବଲାଙ୍ଗିରରେ ଚଳିତ ବର୍ଷ ପ୍ରଥମ ଥର ସର୍ବୋଚ୍ଚ ତାପମାତ୍ରା ୩୬.୭ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିପରି ଟିଟିଲାଗଡ଼ରେ ୩୬, ପାରଳାଖେମୁଣ୍ଡି ୩୫.୮, ଝାରସୁଗୁଡା ୩୫.୬, ସମ୍ବଲପୁର ୩୫.୧ ଓ ଭବାନୀପାଟଣାରେ ତାପମାତ୍ରା ରହିଥିଲା ୩୫ ଡିଗ୍ରୀ ସେଲସିୟସ୍। ରାଜଧାନୀ ଭୁବନେଶ୍ବରରେ ପାରଦ ୩୪.୯ ଡିଗ୍ରୀ ସେଲସିୟସ୍ ରହିଥିଲା।
ସେପଟେ ପାଣିପାଗ ବିଭାଗ କହିଛି ଆଗକୁ ବି ଏମିତି ପାଗ ଜାରି ରହିବ । ରାଜ୍ୟରେ ଆସନ୍ତା ୪-୫ ଦିନ ପାଗରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ ।୫ ତାରିଖରେ ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଗଞ୍ଜାମ, ଏବଂ ଯାଜପୁର ଜିଲ୍ଲାକୁ ଘନ କୁହୁଡି ନେଇ ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ ମିଟର ତଳକୁ ଖସିଯିବ । କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ହେବାର ସମ୍ଭାବନା ରହିଛି । ଏଥିପାଇଁ ଘାଟିରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚାଳନା ସମୟରେ ସତର୍କତା ଅବଲମ୍ବନ କରବା ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ତେଣୁ ତାପମାତ୍ରା ଆଗକୁ ଆହୁରି ବଢିବାର ସମ୍ଭାବନା ରହିଛି । ବର୍ତ୍ତମାନ ମେଘମୁକ୍ତ ଆକାଶ ସହ ଦକ୍ଷିଣ-ପଶ୍ଚିମ ବାୟୁ ପ୍ରଭାବରେ ତାପମାତ୍ରା ବଢିଛି। ଫେବ୍ରୁଆରୀରେ ଅଚାନକ ଶୀତ ଗାଏବ ହେବା ସହ ଖରା ବଢ଼ିବା ଜନଜୀବନକୁ ପ୍ରଭାବିତ କରିପାରେ।
ଅଧିକ ପଢନ୍ତୁ: କର୍କଟ ରୋଗୀଙ୍କ ପ୍ରତି ଅଧିକ ଯତ୍ନଶୀଳ ହେବା ଜରୁରୀ