ସମ୍ବଲପୁର : ଟ୍ରେନ ପାଇଖାନା ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର। ସମ୍ବଲପୁର -ନାନ୍ଦେଡ଼ ଟ୍ରେନରୁ ଏହି ମୃତଦେହ ଉଦ୍ଧାର କରିଛି ଜିଆରପି। ତେବେ ମୃତ ଯୁବକଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ତେଣୁ ମୃତଦେହକୁ ଉଦ୍ଧାର କରାଯିବା ସହ ଏନେଇ ସମ୍ବଲପୁର ଜିଆରପି ପକ୍ଷରୁ ଅଧିକ ତଦନ୍ତ ଆରମ୍ଭ କରାଯାଇଛି।
ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତି ପ୍ରାୟ ୧୦ ଟାରେ ଟ୍ରେନଟି ୱାସିଂ ଲାଇନକୁ ଆସିଥିଲା । ଭୋର ପ୍ରାୟ ୪ଟା ସମୟରେ ଟ୍ରେନକୁ ସଫା କରୁଥିବା ବେଳେ ଟ୍ରେନର ସାଧାରଣ ଡବା ପାଇଖାନା ଭିତରେ ଏକ ମୃତଦେହ ପଡିଥିବା ଦେଖି କର୍ମଚାରୀ ମାନେ ଜିଆରପିକୁ ସୂଚନା ଦେଇଥିଲେ। ଖବରପାଇ ଜିଆରପି ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।