ସ୍ଥାୟୀ ନିଯୁକ୍ତି ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଆଶାକର୍ମୀ । ଆଜି ରାଜଧାନୀରେ ଶହ ଶହ ଆଶାକର୍ମୀଙ୍କ ଆନ୍ଦୋଳନ ଜାରି ରହିଛି ।
ସୂଚନା ଅନୁସାରେ , ଆଜି ଲୋୟର ପିଏମ୍ଜିରେ ହଜାର ହଜାର ଆଶାକର୍ମୀ ଧାରଣା ଦେଇଛନ୍ତି । ସେମାନଙ୍କ ଚାକିରୀ ସ୍ଥାୟୀ ନିଯୁକ୍ତି ହେବା ସହ ଦରମା ୨୬ ହଜାରକୁ ବୃଦ୍ଧି କରିବା ପାଇଁ ଆଶାକର୍ମୀମାନେ ଦାବି କରିଛନ୍ତି । ସେମାନେ ବିଧାନସଭା ଅଭିମୁଖେ ଯିବାବେଳେ ତାଙ୍କୁ ଅଟକାଇଛି ପୋଲିସ । ଏହି ସମୟରେ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । ଫଳରେ ସେହିଠାରେ ହିଁ ଆଶାକର୍ମୀମାନେ ଆନ୍ଦୋଳନ କରିଛନ୍ତି ।
ପେନ୍ସନ୍ ବାବଦକୁ ୧୦ ହଜାର ଟଙ୍କା ଏବଂ ମୃତ୍ୟୁକାଳୀନ ସହାୟତା ୮ ଲକ୍ଷ ଟଙ୍କା ଦେବାକୁ ଆଶାକର୍ମୀମାନେ ଦାବି କରିଛନ୍ତି । ତେବେ ବାରମ୍ବାର ଧାରଣାରେ ବସିବା ପରେ ବି ସରକାର ଶୁଣୁ ନଥିବାରୁ ଆଜି ହଜାର ହଜାର ସଂଖ୍ୟାରେ ଆଶାକର୍ମୀମାନେ ଏକାଠି ହୋଇ ଏହି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସେମାନଙ୍କ କହିବା କଥା ଆମକୁ ସରକାରୀ ମାନ୍ୟତା ଓ ସ୍ଥାୟୀ ନିଯୁକ୍ତି ମିଳୁ । ଆଉ ଆମ ଦରମା ବୃଦ୍ଧି କରାଯାଉ ନହଲେ ଏ ଆନ୍ଦୋଳନ ବନ୍ଦ ହେବନାହିଁ ବୋଲି ସେମାନେ କହିଛନ୍ତି ।
ଆଗକୁ ପଢନ୍ତୁ :- ରାଜଧାନୀ ରାସ୍ତାର ଶୋଚନୀୟ ସ୍ଥିତି