ରାୟଗଡ଼ା : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ ପରେ ରାୟଗଡ଼ା ଜେଲ୍ ହାଜତକୁ ଗଲେ ଭାସ୍କର ରାଓ। ପୂର୍ବରୁ ମିଳିଥିବା ଜାମିନ ରଦ୍ଦ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ।
ବହୁଚର୍ଚ୍ଚିତ ଆଦିବାସୀ ନେତା ଭାଗୀରଥି ମାଣ୍ଡାଙ୍ଗି ହତ୍ୟା ମାମଲାରେ ବଡ଼ ଆଇନଗତ ଘଟଣାକ୍ରମ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାୟଗଡ଼ା SDJM କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ଏନ୍. ଭାସ୍କର ରାଓ। ପ୍ରାୟ ୧୬ ବର୍ଷ ପୁରୁଣା ଏହି ହତ୍ୟା ମାମଲାରେ ପୂର୍ବରୁ ଅଭିଯୁକ୍ତମାନଙ୍କୁ ମିଳିଥିବା ଜାମିନ ରଦ୍ଦ କରିବା ସହ ଦୁଇ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ଗତ ଅକ୍ଟୋବର ୨୬ ତାରିଖରେ ସୁପ୍ରିମକୋର୍ଟଙ୍କ ଜଷ୍ଟିସ୍ ସଞ୍ଜୟ କୁମାର ଓ ଜଷ୍ଟିସ୍ ସଞ୍ଜୀବ ସଚଦେବାଙ୍କ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶା ହାଇକୋର୍ଟଙ୍କ ଜାନୁଆରୀ ୨୨ ତାରିଖର ଆଦେଶର ଏକ ଅଂଶକୁ ରଦ୍ଦ କରିବା ସହ ଜାନୁଆରୀ ୩୦ରେ ରାୟଗଡ଼ା SDJM କୋର୍ଟ ପ୍ରଦାନ କରିଥିବା ଜାମିନ ଆଦେଶକୁ ମଧ୍ୟ ରଦ୍ଦ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ।
କାହିଁକି ଜାମିନ ରଦ୍ଦ କଲେ ସୁପ୍ରିମକୋର୍ଟ?
ଏହି ମାମଲାରେ ଭାସ୍କର ରାଓଙ୍କ ସମେତ ଅନ୍ୟ ଅଭିଯୁକ୍ତମାନେ ଆଗୁଆ ଜାମିନ ପାଇଁ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଆଗୁଆ ଜାମିନ ଆବେଦନ ଖାରଜ କରିଥିଲେ ମଧ୍ୟ ନିମ୍ନ ଅଦାଲତରେ ଆତ୍ମସମର୍ପଣ ପରେ ନିର୍ଦ୍ଦିଷ୍ଟ ସର୍ତ୍ତରେ ନିୟମିତ ଜାମିନ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।
କିନ୍ତୁ ସୁପ୍ରିମକୋର୍ଟ ଏହି ପ୍ରକ୍ରିୟାକୁ ଆଇନସମ୍ମତ ମନେ କରିନଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଥିଲେ ଯେ ଆଗୁଆ ଜାମିନ ଖାରଜ କରିବା ପରେ ନିମ୍ନ ଅଦାଲତ କିଭଳି ନିୟମିତ ଜାମିନ ଦେବେ, ତାହା ହାଇକୋର୍ଟ ପୂର୍ବରୁ ନିର୍ଦ୍ଧାରଣ କରିପାରିବେ ନାହିଁ।
ନିୟମିତ ଜାମିନ ଆବେଦନ ଉପରେ ମାମଲାର ତଥ୍ୟ, ଅଭିଯୋଗ ଓ ଆଇନଗତ ଦିଗକୁ ବିଚାର କରି ସ୍ୱାଧୀନ ଭାବେ ନିଷ୍ପତ୍ତି ନେବା ନିମ୍ନ ଅଦାଲତର ଦାୟିତ୍ୱ। ଏହି ଆଧାରରେ ପୂର୍ବ ଜାମିନ ଆଦେଶ ରଦ୍ଦ କରାଯାଇଛି। ତେବେ ଅଭିଯୁକ୍ତମାନେ ପୁଣି ନିୟମିତ ଜାମିନ ପାଇଁ ଆବେଦନ କରିପାରିବେ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।
କ'ଣ ଥିଲା ଭାଗୀରଥି ମାଣ୍ଡାଙ୍ଗି ହତ୍ୟା ଘଟଣା?
୨୦୧୦ ମସିହା ଡିସେମ୍ବର ୧୫ ତାରିଖରେ ରାୟଗଡ଼ାର ଆଦିବାସୀ ନେତା ତଥା ମା' ମଝିଘରିଆଣୀ ମନ୍ଦିରର ଟ୍ରଷ୍ଟି ଭାଗୀରଥି ମାଣ୍ଡାଙ୍ଗି ନିଖୋଜ ହୋଇଯାଇଥିଲେ। ପରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ତୋଟାପଲ୍ଲୀ ଜଳଭଣ୍ଡାର ନିକଟରୁ ତାଙ୍କର ପୋଡ଼ା ମୃତଦେହ ଉଦ୍ଧାର କରାଯାଇଥିଲା। ମୃତଦେହର ହାତଗୋଡ଼ ବନ୍ଧା ଅବସ୍ଥାରେ ଥିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଥିଲା।ଏହି ଘଟଣIରେ ଶ୍ରୀ ରାଓଙ୍କ ସମେତ ଇପିଲି ସନ୍ୟାସୀ ରାଜୁ, ଆଦିନାରାୟଣ ରାଓ,କେ.କ୍ରୀଷ୍ନା ରାଓ ଏବଂ ପି ଦିଲୀପ କୁମାର ମଧ୍ୟ ଅଭିଯୁକ୍ତ ଅଛନ୍ତି।
ମନ୍ଦିର ପରିଚାଳନାରେ ଅନିୟମିତତା ବିରୋଧରେ ସ୍ୱର ଉଠାଇଥିବାରୁ ଭାଗୀରଥିଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଓ ଆଦିବାସୀ ସଂଗଠନ ଅଭିଯୋଗ କରିଥିଲେ। ଘଟଣାକୁ ନେଇ ରାୟଗଡ଼ାରେ ବ୍ୟାପକ ପ୍ରତିବାଦ ହୋଇଥିଲା। ପରବର୍ତ୍ତୀ ସମୟରେ ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା। ମାମଲାରେ ନ୍ୟାୟ ପାଇଁ ଭାଗୀରଥିଙ୍କ ସାନଭାଇ ଜଗନ୍ନାଥ ମାଣ୍ଡାଙ୍ଗି ଦୀର୍ଘଦିନ ଧରି ଆଇନଗତ ଲଢ଼େଇ ଜାରି ରଖିଛନ୍ତି।
୨୦୨୪ ନଭେମ୍ବର ୧୨ ତାରିଖରେ ରାୟଗଡ଼ା SDJM କୋର୍ଟ ଭାସ୍କର ରାଓଙ୍କ ସମେତ ଛଅଜଣଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଥିଲେ। ମାମଲାରେ ହତ୍ୟା, ଅପହରଣ, ଅପରାଧିକ ଷଡ଼ଯନ୍ତ୍ର ଓ ପ୍ରମାଣ ନଷ୍ଟ ସମ୍ପର୍କିତ ଦଫା ଲାଗିଛି।
ଏହା ବ୍ୟତୀତ ତାଙ୍କ ବିରୋଧରେ ଟ୍ରକ୍ ମାଲିକ ସଂଘର ୮୦ କୋଟି ଟଙ୍କା ଆତ୍ମସାତ୍ ଓ ହେରଫେର ଅଭିଯୋଗ ମଧ୍ୟ ରହିଛି, ଯେଉଁଥିପାଇଁ ନିକଟରେ ତାଙ୍କ ବାସଭବନରେ EOW (ଅର୍ଥନୈତିକ ଅପରାଧ ଶାଖା) ଚଢ଼ାଉ କରିଥିଲା।