ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ଦେଖାଦେଇଛି । ଏନସିପିର ଦୁଇ ଗୋଷ୍ଠୀ ପୁନର୍ବାର ଏକତ୍ରିତ ହୋଇପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି। ନେତାମାନେ ଏହାକୁ ଅସ୍ୱୀକାର କରୁଥିବା ବେଳେ, ରାଜନୈତିକ କାର୍ୟ୍ୟକଳାପ ଏହି କଳ୍ପନାଜଳ୍ପନାକୁ ଆହୁରି ଖୋରାକ ଯୋଗାଇଛି । ଶରଦ ପାୱାରଙ୍କ ବାସଭବନରେ ଦୀପାବଳିରେ ବଡ଼ ବୈଠକ ବସିଛି । ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାର ଏବଂ ସ୍ୱର୍ଗତ ଅଜିତ ପାୱାରଙ୍କ ପୁଅ ପାର୍ଥ ପାୱାର ୪୮ ଘଣ୍ଟା ମଧ୍ୟରେ ବରିଷ୍ଠ ନେତା ଶରଦ ପାୱାରଙ୍କ ସହ ଦୁଇ ଦୁଇ ଥର ସାକ୍ଷାତ ଏହି ଆଲୋଚନାକୁ ମସଲା ଦେଇଛି ।
ଗତ ଦୁଇ ଦିନ ମଧ୍ୟରେ, ପାର୍ଥ ପାୱାର ଏବଂ ଶରଦ ପାୱାର ଦୁଇଟି ବୈଠକ କରିଛନ୍ତି । ଘଣ୍ଟା ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । କେଉଁ ପ୍ରସଙ୍ଗରେ ଉଭୟ ଆଲୋଚନା କରିଛନ୍ତି ତାହା ବାହାରକୁ ଆସିନାହିଁ । ତଥାପି ପୁଣି ଥରେ ଏନସିପିର ଦୁଇ ଗୋଷ୍ଠୀ ଏକାଠି ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି ।
ଉଭୟ ଗୋଷ୍ଠୀ କିଛି ନେତୃବୃନ୍ଦ ମିଶ୍ରଣ ଆଲୋଚନା ଚୂଡ଼ାନ୍ତ ପର୍ୟ୍ୟାୟରେ ପହଁଚିଥିବା ବିଭିନ୍ନ ଗଣମାଧ୍ୟମକୁ ପରୋକ୍ଷରେ ସୂଚନା ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ ସୁନେତ୍ର ପାୱାର ଏବଂ ଲୋକସଭା ସାଂସଦ ସୁପ୍ରିୟା ସୁଲେଙ୍କ ମଧ୍ୟରେ ଏକ ଗୁପ୍ତ ବୈଠକ ହୋଇଥିଲା। କୌଣସି ଦଳ ଏ ବିଷୟରେ ଆନୁଷ୍ଠାନିକ ଭାବରେ କିଛି କହି ନାହାଁନ୍ତି। କୁହାଯାଉଛି ଯେ କଥିତ ବୈଠକ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ହୋଇଥିଲା, ଯେଉଁଠାରେ ଶରଦ ପାୱାର ମୁମ୍ବାଇରେ ଚିକିତ୍ସା ହେଉଥିଲେ। ତାଙ୍କୁ ପୂର୍ବରୁ ପୁଣେର ରୁବି ହଲ୍ କ୍ଲିନିକ୍ ରେ ଭର୍ତ୍ତି କରାଯାଇଥିଲା।
ଏନସିପି ନେତା ପ୍ରଫୁଲ ପଟେଲ କହିଛନ୍ତି ଯେ ସେ ପୁଣି ଥରେ ଶରଦ ପାୱାରଙ୍କୁ ଭେଟିବାକୁ ଆସୁଛନ୍ତି। ପୂର୍ବରୁ ଯେତେବେଳେ ସେ ମୁମ୍ବାଇର ଏକ ହସ୍ପିଟାଲରେ ପାୱାରଙ୍କୁ ଭେଟିଥିଲେ, ସେତେବେଳେ ରିପୋର୍ଟ ପ୍ରକାଶ ପାଇଥିଲା ଯେ ପାୱାର ତାଙ୍କୁ ୧୦ ତାରିଖ ପରେ ଭେଟିବାକୁ କହିଥିଲେ। ତଥାପି, ସେତେବେଳେ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ତାହା ସ୍ପଷ୍ଟ ହୋଇନଥିଲା।
୨୦୨୩ ମସିହାରେ ଏନସିପିର ବିଭାଜନ ହୋଇଥିଲା । ଅଜିତ ପାୱାର ଗୋଟିଏ ଗୋଷ୍ଠୀ ଏବଂ ଶରଦ ପାୱାର ଅନ୍ୟ ଏକ ଗୋଷ୍ଠୀରେ ଥିଲେ ।