ବରଗଡ଼: ଓଡ଼ିଶାର ପ୍ରସିଦ୍ଧ ଦେବ୍ରିଗଡ଼ ଅଭୟାରଣ୍ୟରେ ପୁଣି ରୟାଲ ବେଙ୍ଗଲ ଟାଇଗର (RBT)ର ଉପସ୍ଥିତି। ଅଭୟାରଣ୍ୟ ଭିତରେ ଲଗାଯାଇଥିବା ରିମୋଟ୍ କ୍ୟାମେରା ଟ୍ରାପ୍ରେ ବାଘର ଫଟୋ କଏଦ ହୋଇଥିବାବେଳେ ପାଟ୍ରୋଲିଂ କରୁଥିବା ବନ କର୍ମଚାରୀମାନେ ମଧ୍ୟ ବାଘକୁ ଦେଖିଥିବା ସୂଚନା ମିଳିଛି। ଏହାପରେ ଅଭୟାରଣ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିଛି ବନ ବିଭାଗ।
ସୂଚନା ଅନୁସାରେ, ଗତ ୪ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଦେବ୍ରିଗଡ଼ରେ ବାଘର ଉପସ୍ଥିତି ଜଣାପଡ଼ିଛି। ଦେଚୁଆନ-ଲଖନପୁର ଜଙ୍ଗଲ କରିଡର ଦେଇ ବାଘଟି ଅଭୟାରଣ୍ୟ ଭିତରକୁ ପ୍ରବେଶ କରିଥିବା ସନ୍ଦେହ କରାଯାଉଛି। ତେବେ ବାଘଟି କେଉଁ ଅଞ୍ଚଳରୁ ଆସିଛି ଏବଂ ଏହାର ପ୍ରକୃତ ପରିଚୟ କ'ଣ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।
ବାଘର ପରିଚୟ ଖୋଜିବେ NTCA ଓ WII ବିଶେଷଜ୍ଞ
ବାଘର ଉତ୍ପତ୍ତି, ବୟସ ଓ ପରିଚୟ ଜାଣିବା ପାଇଁ ବନ ବିଭାଗ ପକ୍ଷରୁ ତଥ୍ୟ ସଂଗ୍ରହ ଜାରି ରହିଛି। କ୍ୟାମେରାରେ କଏଦ ହୋଇଥିବା ଫଟୋଗୁଡ଼ିକୁ ଜାତୀୟ ବାଘ ସଂରକ୍ଷଣ ପ୍ରାଧିକରଣ (NTCA) ଏବଂ ୱାଇଲ୍ଡଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (WII)ର ବିଶେଷଜ୍ଞଙ୍କ ନିକଟକୁ ପଠାଯିବ। ବିଶେଷଜ୍ଞଙ୍କ ଯାଞ୍ଚ ପରେ ବାଘ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ।
୧୦୦ କ୍ୟାମେରା ଟ୍ରାପ୍, ୨୭ ଟିମ୍ର କଡ଼ା ନଜର
ବାଘର ଗତିବିଧି ଉପରେ ନଜର ରଖିବାକୁ ସମଗ୍ର ଅଭୟାରଣ୍ୟରେ ୧୦୦ଟି କ୍ୟାମେରା ଟ୍ରାପ୍ ଲଗାଯାଇଛି। ଏଥିସହ ଦୈନିକ ପାଟ୍ରୋଲିଂ ପାଇଁ ୨୭ଟି ଟିମ୍କୁ ନିୟୋଜିତ କରାଯାଇଛି। ଅଭୟାରଣ୍ୟର ସୀମା ଏବଂ ଜଙ୍ଗଲ ଭିତର ରାସ୍ତାଗୁଡ଼ିକରେ ଏହି ଟିମ୍ଗୁଡ଼ିକ ନିୟମିତ ନଜର ରଖୁଛନ୍ତି।ଅନ୍ୟପଟେ, ରାତି ସମୟରେ ବାଘର ଗତିବିଧି ଉପରେ ୨୪ ଘଣ୍ଟିଆ ନଜର ରଖିବାକୁ ତିନିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଦେବ୍ରିଗଡ଼ ଅଭୟାରଣ୍ୟରେ ପୁଣି ରୟାଲ ବେଙ୍ଗଲ ଟାଇଗରର ଉପସ୍ଥିତି ବନ୍ୟଜନ୍ତୁ ସଂରକ୍ଷଣ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଦେଖାଯାଉଛି। ଏବେ ସମସ୍ତଙ୍କ ନଜର ବାଘର ପ୍ରକୃତ ପରିଚୟ ଓ ଗତିବିଧି ଉପରେ।