ଆସୁଛି ପାର୍ବଣ , ଆଉ ବେହାଲ ହେବ ସାରା ସହର । କିନ୍ତୁ ରାସ୍ତାଘାଟ ପାଇଁ ସହରବାସୀ ପୁରା ଅସନ୍ତୋଷ । ରାସ୍ତା ନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସହରବାସୀ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି , ରାଜଧାନୀ ଭୁବନେଶ୍ୱରରେ ।
ସୂଚନା ଅନୁସାରେ , ରାଜଧାନୀର ରାସ୍ତାଘାଟ ଏବେ ଖାଲଖମାରେ ଭର୍ତ୍ତି ହୋଇପଡିଛି । ଗଳି ରାସ୍ତା ହେଉ ଅବା ମୁଖ୍ୟ ରାସ୍ତା, ସବୁଆଡେ ରାସ୍ତାକୁ ଖୋଳିତାଡ଼ି ଛାଡ଼ି ଦିଆଯାଉଛି । ବିଭିନ୍ନ ସ୍ଥାନରେ ରାସ୍ତା ଖଣ୍ଡିଆ ଖାବରା ହୋଇ ରହିଥିଲେ ମଧ୍ୟ ଏହାର ମରାମତି ହେଉନାହିଁ । ଏହି ରାସ୍ତାରେ ବର୍ଷା ପାଣି ଜମି ବଡ଼ ବଡ଼ ଗାତ ସୃଷ୍ଟି ହେଉଛି । ପ୍ରତିଦିନ ସହରବାସୀ ହଇରାଣ ହୋଇ ଯିବା ଆସିବା କରୁଥିବାବେଳେ ଛୋଟବଡ଼ ଦୁର୍ଘଟଣା ଘଟୁଛି । ସେହିଭଳି ଗତ ଶନିବାର ଦିନ ବିଳମ୍ବିତ ରାତିରେ କଟକ ରୋଡ୍ର ବମିଖାଲ ଓଭରବ୍ରିଜ୍ ତଳ ରାସ୍ତାରେ ଥିବା ଖାଲଖମାରେ ଜଣେ ଯୁବ ଡାକ୍ତରଙ୍କ କାର୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । କେବଳ ଏହି ଗୋଟିଏ ଘଟଣା ନୁହେଁ, ସହରରେ ଏଭଳି ଖାଲଖମାପୂର୍ଣ୍ଣ ଥିବା ଅନେକ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟି ବହୁତ ଧନଜୀବନ ହାନି ହେଉଛି । ମାତ୍ର ଏବେ ବି ବିଏମସି କର୍ତ୍ତୃପକ୍ଷ , ପୂର୍ତ୍ତ ବିଭାଗ , ଏନଏଚଆଇ କର୍ତ୍ତୃପକ୍ଷ କିଛି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ଫଳରେ ସହରବାସୀଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢିଚାଲିଛି । ଏବେ ପାର୍ବଣ ଋତୁ ଚାଲିଥିବା ବେଳେ ଟ୍ରାଫିକ ସମସ୍ୟା ଲାଗି ରହିଥିବାରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଘଟଣାରେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଯେ , ଖୁବଶୀଘ୍ର ଟେଣ୍ଡର ହୋଇ ରାସ୍ତାକାମ ଆରମ୍ଭ ହେବ । ପୂଜା ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ ବୋଲି ସେ ସୂଚନା ଦେଇଛନ୍ତି ।
ଆଗକୁ ପଢନ୍ତୁ :- ଚଳନ୍ତା କାରରେ ଲାଗିଗଲା ନିଆଁ