ଭୁବନେଶ୍ୱର: ରାଜ୍ୟରେ କମିବାରେ ଲାଗିଛି ତାପମାତ୍ରା। ଏଥିପାଇଁ ସାରା ଓଡିଶା ଶୀତରେ ଥରୁଛି। ଅସମ୍ଭାଳ ଜାଡ଼ ସାଙ୍ଗକୁ କାଲୁଆ ପବନ ମାଡରେ ଛଟପଟ ହେଉଛି ପୂରା ରାଜ୍ୟବାସୀ। ଆଞ୍ଚଳିକ ପାଣିପାଗ ସୂଚନାନୁସାରେ, ସୋମବାର ଜି.ଉଦୟଗିରିରେ ତାପମାତ୍ରା ୪.୩ ଡିଗ୍ରୀ ରହିଛି। କନ୍ଧମାଳ ଜିଲାର ସବୁଜ ସୁନ୍ଦର ପାହାଡ଼ ପର୍ବତ ଘେରା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ୍ ତାପମାତ୍ରା ସହ ସବୁଠାରୁ ଥଣ୍ଡା ସହର ପାଲଟିଛି ।
ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ଜାଳି ବସୁଛନ୍ତି। ଦିନ ୧୦ ଟା ନହେଲେ କାମଧନ୍ଦାକୁ ଯିବା ଶ୍ରମିକମାନଙ୍କ ପାଇଁ କଷ୍ଟକର ହୋଇପଡୁଛି। ତେବେ ଆସନ୍ତା ୧୨ ତାରିଖ ଯାଏଁ ରାଜ୍ୟରେ ଶୀତ ଲହରି ଆହୁରି ଅଧିକ ବଢିବ। ଏପରିକି ୨୦ ତାରିଖ ଯାଏ ଶୀତ ଜାରି ରହିବ। ଉତ୍ତର ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶା ସଂଲଗ୍ନ ଜିଲ୍ଲାରେ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ। ୨୧ ତାରିଖ ପରେ ରାତି ତାପମାତ୍ରା କିଛି ସ୍ଥାନରେ ବଢ଼ିବା ସହିତ ଘନ କୁହୁଡି ଦୃଶ୍ୟମାନ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି।
ଅଧିକ ପଢନ୍ତୁ : ୧୨ ଯାଏଁ ପ୍ରବଳ ଶୀତ: ଜାଡ଼ରେ ଥରିବ ପୂରା ରାଜ୍ୟ... ଏହି ଜିଲ୍ଲାରେ ହେବ ପ୍ରବଳ ଶୀତ!