କଂଗ୍ରେସ ପକ୍ଷରୁ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଛନ୍ତି ସୁର ରାଉତରାୟ। ଆଜି କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଭେଟି ସୁର ଉକ୍ତ କାରଣ ଦର୍ଶାଅ ନୋଟିର ଜବାବ ଦେଇଛନ୍ତି । କୌଣସି ସଭାସମିତିରେ ସେ ପୁଅ ପାଇଁ ଭୋଟ ମାଗିନଥିବା ସୁର ରାଉତରାୟ କହିଛନ୍ତି । ସୋସିଆଲ ମିଡିଆରେ ତାଙ୍କ କଥାକୁ ଯୋଡ଼ି ମିଛ ଅପପ୍ରଚାର କରାଯାଉଛି । ମୁଁ ମଲା ଯାଏଁ କଂଗ୍ରେସରେ ରହିବି ବୋଲି ସୁର କହିଛନ୍ତି।
ସୂଚନା ଯୋଗ୍ୟ ବୁଧବାର ପିସିସି ସଭାପତି ଶରତ ପଟ୍ଟନାୟକ ସୁରଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଥିଲେ । ନୋଟିସ୍ରେ ସୁର ରାଉତରାୟ କାହିଁକି ପୁଅ ମନ୍ମଥ ରାଉତରାୟ ପାଇଁ ଭୋଟ ମାଗୁଛନ୍ତି ବୋଲି ପ୍ରଶ୍ନ କରାଯାଇଥିଲା । ଏନେଇ ପିସିସି ସଭାପତି ସୁରଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଲେ ।
କିଛିଦିନ ପୂର୍ବରୁ ସୁରଙ୍କ ସାନପୁଅ ମନ୍ମଥ ବିଜେଡି ଯୋଗ ଦେଇଛନ୍ତି। ଏହାପରେ ସୁର ପିସିସି ସଭାପତିଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ କିନ୍ତୁ ମଙ୍ଗଳବାର ସୁର ନିଜ ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ଭୋଟ ମାଗିବା ସହ ବିଜେଡି ପାଇଁ ପ୍ରଚାର କରିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ଏହି ଭାଇରାଲ୍ ଭିଡିଓକୁ ସୁର ଅସ୍ବୀକାର କରିଛନ୍ତି।