ଭୁବନେଶ୍ୱର/ବ୍ରହ୍ମପୁର: ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣସରଣପୁର ଗ୍ରାମରେ ବୁଧବାର ସନ୍ଧ୍ୟାରେ ହୋଇଥିବା ହିଂସାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ନିକୁଂଜ ଧଳ ଗୁରୁବାର ଉଦ୍ବେଗ ପ୍ରକଶ କରିଛନ୍ତି । ରାଜ୍ୟରେ କୌଣସି ପ୍ରକାରର ହିଂସାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି ।
ସିଇଓ ଶ୍ରୀ ଧଳ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ହିଂସା ନିୟନ୍ତ୍ରଣ ପାଇଁ ବିଧି ସମ୍ମତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ, ଶ୍ରୀକୃଷ୍ଣସରଣପୁର ଗ୍ରାମରେ ବୁଧବାର ସନ୍ଧ୍ୟାରେ ପୋଷ୍ଟର ମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଥିଲା । ଏହି ଘଟଣାରେ ୪ ଜଣ ଆହତ ହୋଇଥିଲେ । ପୂର୍ଣ୍ଣଚନ୍ଦ୍ର ପାହାନାଙ୍କ ୩ ପୁଅ ଦିଲୀପ, ଜିତେନ୍ଦ୍ର ଓ ବାପୁଜୀ ଆହତ ହୋଇଥିଲେ । ସେହିପରି ଅଭିମନ୍ୟୁ ପାହାନ ମଧ୍ୟ ଆହତ ହୋଇଥିଲେ । ସମସ୍ତଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିଲା । ଖଲିକୋଟ ମେଡିକାଲରେ ପ୍ରାଥମିକ ଚିକିତ୍ସା କରି ସମସ୍ତଙ୍କୁ ବ୍ରହ୍ମପୁର ଡାକ୍ତରଖାନା ପଠାଯାଇଛି । ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣଙ୍କର ଚିକିତ୍ସା ଜାରି ରହିଛି ।
ଏହି ଘଟଣାକୁ ନେଇ ମେଡିକାଲରେ ବିଜେଡି ଓ ବିଜେପିର ନେତା ପହଁହିଥିଲେ । ତେବେ ଆକ୍ରମଣର ଶିକାର ହୋଇଥିବା ଲୋକେ ବିଜେପି ସମର୍ଥକ ବୋଲି ଜଣାପଡ଼ିଛି ।