ଭୁବନେଶ୍ୱର: ଆଜି ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ଧରାବତରଣ ଉତ୍ସବ । ଆଜି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମତିଥି ଅବସରରେ ରାଜା ରାଜ୍ୟ ଉତ୍ସବମୁଖର ହୋଇଉଠିଛି । ଭକ୍ତଙ୍କ ଅହରହ ସମାଗମ ଲାଗିରହିଛି ମନ୍ଦିର ଗୁଡିକରେ । ଶ୍ରୀରାମଙ୍କ ସାନିଧ୍ୟ ପାଇବାକୁ କାହିଁ କେତେ ଦୂରରୁ ଭକ୍ତ ମାନେ ଧାଇଁ ଆସିଛନ୍ତି । ଗଗନ ପବନ 'ଜୟ ଶ୍ରୀରାମ' ଧ୍ୱନିରେ ହୋଇଉଠୁଛି ପ୍ରକମ୍ପିତ । ଶ୍ରୀରାମ ଚରିତ ମାନସ, ଭଜନ ଓ କୀର୍ତ୍ତନରେ ଆଧ୍ୟାତ୍ମିକ ହୋଇଉଠିଛି ପରିବେଶ ।
ଏହି ଅବସରରେ ଭୁବନେଶ୍ୱରସ୍ଥିତ ଶ୍ରୀରାମ ମନ୍ଦିରରେ ପ୍ରବଳ ଭକ୍ତ ସମାଗମ ଦେଖିବାକୁ ମିଳୁଛି । ଶହ ଶହ ସଂଖ୍ୟାରେ ଭକ୍ତ ଭଗବାନଙ୍କ ଦର୍ଶନ କରିବାକୁ ମନ୍ଦିରରେ ଧାଡିରେ ଅପେକ୍ଷା କରି ରହିଛନ୍ତି । ରାମ ନବମୀ ଅବସରରେ ମନ୍ଦିରକୁ ଖୁବ ସୁନ୍ଦର ଭାବେ ସଜ୍ଜିତ କରାଯାଇଛି । ବିଭିନ୍ନ ପ୍ରକାରର ପୁଷ୍ପ, ସୁନ୍ଦର ତୋରଣମାନ ତଥା ଆଲୋକମାଳାରେ ଶୋଭା ପାଉଛି ମନ୍ଦିର ପ୍ରାଙ୍ଗଣ । ଏତତ ବ୍ୟତୀତ ପ୍ରଚଣ୍ଡ ଖରାକୁ ଆଖିରେ ରଖି ତମ୍ବୁର ବ୍ୟବସ୍ଥା କରାଯାଇଛି । ଏହା ସହିତ ଭକ୍ତଙ୍କ ନିମନ୍ତେ ପ୍ରସାଦ ସେବନ ସହିତ ପାନୀୟ ଜଳର ମଧ୍ୟ ଆୟୋଜନ କରାଯାଇଛି । ଭିଡ଼ ନିୟନ୍ତ୍ରଣ ତଥା ଶୃଙ୍ଖଳିତ ଭାବେ ଦର୍ଶନ ବ୍ୟବସ୍ଥା ପାଇଁ ୧୯ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ନୟାଗଡ଼ ସ୍ଥିତ ଭବ୍ୟ ଫତେଗଡ ଶ୍ରୀରାମ ମନ୍ଦିରରେ ମଧ୍ୟ ଭକ୍ତଙ୍କ ଭିଡ଼ ଜମୁଛି । ଶ୍ରୀରାମ ନବମୀ ପାଇଁ ଭୋର ୪.୩୦ରେ ପ୍ରଭୁଙ୍କ ପହୁଡ଼ ଖୋଲାଯାଇଛି । ଏହା ପରେ ଠାକୁରଙ୍କ ନୀତିକାନ୍ତି ସମାପନ ପରେ ମଙ୍ଗଳାଆରତି ପରେ ସର୍ବସାଧାରଣ ଦର୍ଶନ ଚାଲୁ ରହିଛି । ପ୍ରଚଣ୍ଡ ଖରା ଯୋଗୁଁ କୌଣସି ଅସୁବିଧା ନହେବା ପାଇଁ ଏଠାରେ ଅଗ୍ନିଶମ ବିଭାଗ ତଥା ଚିକିତ୍ସା ଦଳ ପ୍ରସ୍ତୁତ ରହିଛନ୍ତି । ଭକ୍ତଙ୍କ ପାଇଁ ଜଳଛତ୍ରର ବ୍ୟବସ୍ଥା ମଧ୍ୟ କରାଯାଇଛି ।
ଏହା ସହିତ ରାଜ୍ୟବ୍ୟାପୀ ବିଭିନ୍ନ ମନ୍ଦିରରେ ଭଜନ କୀର୍ତ୍ତନ, ଶ୍ରୀରାମ ଚରିତ ସଂକୀର୍ତନ ତଥା ରାମାୟଣ ପାଠ ଚାଲିଛି । ଶ୍ରୀରାମଙ୍କ ଜନ୍ମନୀତି ବହୁଆଡ଼ମ୍ବରରେ ଅନୁଷ୍ଠିତ ହେଉଛି । ବ୍ରତଧାରୀ ମାନେ ଉପବାସ କରି ପ୍ରଭୁଙ୍କ ସାନିଧ୍ୟ ପାଇବାକୁ ଦେବାଳୟରେ ପୂଜାର୍ଚନା କରୁଛନ୍ତି ।