ଆଜି ପବିତ୍ର ପୌଷପୁର୍ଣ୍ଣିମା । ଏହି ପୌଷପୁର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି । ସୁନା ବେଶରେ ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀମନ୍ଦିରରେ ସୁନାବେଶ ବା ରାଜାଧିରାଜ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ମହାପ୍ରଭୁଙ୍କର ଦେବାଭିଷେକ ନୀତି ଅନୁଷ୍ଠିତ ହୋଇଛି ।
ଏହି ପୌଷପୁର୍ଣ୍ଣିମା ଅବସରରେ ମହାପ୍ରଭୁ ରାଜାଧିରାଜ ବା ସୁନାବେଶରେ ବିଭୂଷିତ ହୋଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।ପୂର୍ବଦିନରୁ ଅର୍ଥାତ ଗତକାଲି,ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନଲାଗି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯାଇଥିଲା । ରତ୍ନ ସିଂହାସନରେ ବର୍ଷକୁ ୪ ଥର ହେଉଥିବା ସୁନାବେଶ ମଧ୍ୟରୁ ଆଜିର ବେଶ ଅନ୍ୟତମ। ସକାଳଧୂପ ପରେ ସ୍ୱର୍ଣ୍ଣ ଓ ରତ୍ନ ଖଚିତ ଅଳଙ୍କାରରେ ମହାପ୍ରଭୁ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ମସ୍ତକରେ କିରିଟ,,ପାଦରେ ଶ୍ରୀପୟର,,ହାତରେ ଶ୍ରୀଭୂଜ,,ହରିଡାମାଳ,,ବାହାଡା ମାଳ,,ସେବତୀମାଳ,,ଆଡକାନି,,ଚନ୍ଦ୍ର ସୂର୍ଯ୍ୟ ଆଦି ବିବିଧ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାରରେ ମହାପ୍ରଭୁ ମାନେ ରାଜାରାଜେଶ୍ୱର ବେଶରେ ଭକ୍ତ ଗଣଙ୍କୁ ଦର୍ଶନ ଦେଇଛନ୍ତି ।
ଶ୍ରୀଜୀଉଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ପୁଷ୍ୟାଭିଷକ ଅନ୍ୟତମ ଉତ୍ସବ। ପ୍ରଭୁ ଶ୍ରୀରାମ ୧୪ ବର୍ଷ ବନବାସ ପରେ ଆଜି ଦିନରେ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରି ସିଂହାସନରେ ଅଧିଷ୍ଠିତ ହୋଇଥିଲେ। ସେହି ସ୍ମୃତିରେ ଶ୍ରୀମନ୍ଦିରରେ ପୌଷପୁର୍ଣ୍ଣିମା ଅର୍ଥାତ୍ ଆଜିର ଦିନରେ ରତ୍ନସିଂହାସନରେ ମହାପ୍ରଭୁଙ୍କର ଅଭିଷେକ ନୀତି ସଂପନ୍ନ ହୋଇଥାଏ। ତେବେ ବର୍ଷକ ମଧ୍ୟରେ ୫ ଥର ମହାପ୍ରଭୁ ସୁନେବେଶରେ ଦର୍ଶନ ଦେଇଥାନ୍ତି । ଆଜି ଦିନରେ ମହାପ୍ରଭୁଙ୍କ ଏହି ଚିତ୍ତାକର୍ଷକ ସୁନାବେଶକୁ ଯିଏ ଦର୍ଶନ କରିଥାନ୍ତି ତାଙ୍କୁ ଅପାର ଆନନ୍ଦ ମିଳିବ ସହ ଅଶେଷ ପୁଣ୍ୟ ମିଳିଥାଏ।
ଅଧିକ ପଢନ୍ତୁ :ଆଜି ପ୍ରଭୁ ଅଲାରନାଥଙ୍କର ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ