କିଏ ଜାଣିଥିଲା ହସଖୁସି ପରିବାରରେ ଏଭଳି ଏକ ଝଡ ଆସିବ। ଆଉ ଦେଖିଥିବା ସବୁ ସ୍ୱପ୍ନ ପାଣି ଫୋଟକା ପରି ମିଳେଇ ଯିବ । ଦୁନିଆ କ’ଣ ଜାଣିବା ପୂର୍ବରୁ କୋମଳମତି ବୟସରେ ଦୁନିଆରୁ ହିଁ ଚାଲିଗଲା । ପିତାମାତା, ବନ୍ଧୁ ଓ ପରିବାର ସଦସ୍ୟଙ୍କ ମୁହଁରୁ ହସ ଛଡେଇନେଲା । ପରୀକ୍ଷା ଦେବାକୁ ଯାଇ ଆଉ ଫେରିନଥିଲା ଶୁଭୋଜିତ ।
ସୂଚନା ଅନୁସାରେ, ଭୁବନେଶ୍ଵର କଳ୍ପନା ଅଞ୍ଚଳର ବିଶ୍ୱଜିତ ସାହୁଙ୍କ ପୁଅ ହେଉଛନ୍ତି ଶୁଭୋଜିତ । ବୟସ ୮ ବର୍ଷ ହେବ । ବିଜେବି ଇଲିଂଶ ମିଡ଼ିୟମ୍ ସ୍କୁଲରେ ପାଠ ପଢ଼ୁଥିଲେ । ଗତ ବୁଧବାର ଦିନ ପରୀକ୍ଷା ଥିବାରୁ ବାପା ଓ ମାଆଙ୍କ ଭୂମିଷ୍ଟ ପ୍ରଣାମ କରି ଘରୁ ବାହାରିଥିଲେ । ସେତେବେଳେ ବେଶ୍ ଉତ୍ସାହିତ ଥିଲେ । ଖୁସି ମନରେ ପରୀକ୍ଷା ଦେବା ପାଇଁ ସ୍କୁଲ୍ ଯାଇଥିଲେ । ସ୍କୁଲରେ ପ୍ରାର୍ଥନା ସରିବା ପରେ ପରୀକ୍ଷା ହଲ୍ରେ ବସିଥିଲେ ଶୁଭୋଜିତ । ପରୀକ୍ଷା ଦେଉଥିବା ବେଳେ ହଠାତ୍ ଦେହ ଖରାପ ହେଲା ଓ ଶ୍ରେଣୀ ଗୃହରେ ଟଳିପଡ଼ିଲେ ଶୁଭୋଜିତ । ସ୍କୁଲ ଶିକ୍ଷକ ମାନେ ଶୁଭୋଜିତଙ୍କୁ ଶିଶୁ ଭବନରେ ଭର୍ତ୍ତି କରିଥିଲେ। ଏଥିସହ ପରିବାରକୁ ଖବର ଦେଇଥିଲେ । ଖବର ପାଇ ମେଡ଼ିକାଲ ରେ ପହଞ୍ଚିଥିଲେ ଯାଇଥିଲେ ଶୁଭୋଜିତଙ୍କ ପରିବାର । ଶିଶୁ ଭବନରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା । କ୍ୟାପିଟାଲ୍ ହସ୍ପିଟାଲ୍ରେ ଶୁଭୋଜିତଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲା । ବ୍ରେନ୍ ଷ୍ଟ୍ରୋକ୍ ହୋଇଥିବାରୁ ଆଇସିୟୁ ଦରକାର ପଡ଼ିଥିଲା । ସେତେବେଳେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଆଇସିୟୁ ଖାଲି ନଥିଲା । ତେଣୁ ପରିବାର ଲୋକେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ ଆଇସିୟୁରେ ଚିକିତ୍ସା କରାଯାଇଥିଲା । ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ଉନ୍ନତି ଘଟିଥିଲା ସତ କିନ୍ତୁ ତାଙ୍କ ବ୍ରେନ୍ ରେସ୍ପଣ୍ଡ କଲାନାହିଁ । ଶେଷରେ ଗୁରୁବାର ଦିନ ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍ ବୋଲି ଘୋଷଣା କଲେ ।
ଡାକ୍ତରଙ୍କଠାରୁ ନିରାଶାର ବାଣୀ ଶୁଣିବା ପରେ ପରିବାର ଲୋକେ ପୁଅର ଆଖି, କିଡ୍ନୀ, ଲିଭର ସମେତ ୮ଟି ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏନେଇ ମେଡିକାଲ୍ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ । ରାଜ୍ୟ ସରକାର ପ୍ରୋଟୋକଲ୍ ଅନୁସାରେ କରାଯାଇଥିଲା ଶୁଭୋଜିତଙ୍କ ଅଙ୍ଗ ରୋପଣ । ପିତାମାତା ଛାତିକୁ କଠୋର କରି ଶୁଭୋଜିତଙ୍କ ଅଙ୍ଗଦାନ କରାଯିବା ନିଷ୍ପତ୍ତି ଶୁଭୋଜିତଙ୍କୁ ଅମର କରିଦେଇଛି ।
ଛୋଟ ବୟସରେ ୮ ଜଣଙ୍କୁ ଅଙ୍ଗଦାନ କରି ଅମର ହୋଇ ଯାଇଥିବା ୮ ବର୍ଷୀୟ ଶୁଭୋଜିତଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଗାର୍ଡ ଅଫ୍ ଅନର ଦିଆଯାଇଛି । ସତ୍ୟନଗର ଶ୍ମଶାନରେ ପୁଲିସ କମିଶନର ସଞ୍ଜୀବ ପଣ୍ଡା ଓ DCP ପ୍ରତୀକ ସିଂହଙ୍କ ଉପସ୍ଥିତିରେ ଓଡ଼ିଶା ପୁଲିସ ପକ୍ଷରୁ ଆଜି ଶୁଭୋଜିତଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ପୁଅର ଜଳନ୍ତା ଚିତା ଦେଖି ବାପାମା’ଙ୍କ ଆଖିରୁ ଲୁହର ଧାର ଥମୁ ନ ଥିବ ସତ କିନ୍ତୁ ସେମାନଙ୍କ ଛାତି ଗର୍ବରେ ଫାଟି ପଡ଼ୁଥିବ ।
ଅଧିକ ପଢନ୍ତୁ : ବିଶ୍ଵ ବନ୍ୟପ୍ରାଣୀ ଦିବସ ଉପଲକ୍ଷେ ବାଲୁକା କଳା