ପୁରୀ: ପ୍ରଥମାଷ୍ଟମୀ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପାଳନ କରାଯାଏI ଏହା ଓଡ଼ିଶାର ଏକ ପାରମ୍ପରିକ ପର୍ବ। ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟେ ନାମିତ। ଅତୀତରେ, ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇ, ଏହି ମାସରୁ ବର୍ଷାରମ୍ଭ ହେଉଥିଲା । ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଅଛି। ଏହି ଦିନ ବଂଶର ପ୍ରଥମ ଜାତ ସନ୍ତାନ (ପୁଅ ବା ଝିଅ)ଙ୍କୁ ନୂଆ ପୋଷାକ ପିନ୍ଧାଇ, ବନ୍ଦାପନା କରାଯାଏ। ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜାବିଧି ଅନୁଷ୍ଠିତ ହୋଇଥାଏ। ଏହି ଦିନ ସେମାନଙ୍କର ଦୀର୍ଘଜୀବନ କାମନା କରି ମାଆମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି।
ତେବେ ଏହି ପରମ୍ପରା ଶ୍ରୀକ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳେ। ଶ୍ରୀଜୀଉଙ୍କ ମାମୁଘର ନିଆଳି ମାଧବ ମନ୍ଦିରରୁ ଗତକାଲି ଶ୍ରୀଜିଉଙ୍କ ମାମୁଘରୁ ଆସିଥିଲା ପ୍ରଥମାଷ୍ଟମୀ ଭାର ନୂଆ ବସ୍ତ୍ର ପିନ୍ଧି ପୂଜା ପାଇବେ ଶ୍ରୀଜୀଉ। ପରମ୍ପରା ଅନୁସାରେ ଶ୍ରୀଜୀଉମାନଙ୍କ ଅଙ୍ଗଲାଗି ଖଣ୍ଡୁଆ ବସ୍ତ୍ର, ଅରୁଆ ଚାଉଳ , ବିରି , ନଡିଆ , ଗୁଡ , ପାଚିଲା କଦଳୀ ଆସିଛି ମାମୁଁଘରୁ। କଟକ ଜିଲ୍ଲା ନିଆଳି ବ୍ଲକ ମାଧବସ୍ଥିତ ମାଧବାନନ୍ଦଙ୍କ ମନ୍ଦିର ହେଉଛି ଶ୍ରୀ ଜଗନ୍ନାଥଙ୍କ ମାମୁଁଘର । କେଉଁ ଆବାହାମାନକାଳରୁ ମାଧବ ମନ୍ଦିର ପକ୍ଷରୁ ଜଗନ୍ନାଥଙ୍କୁ ପ୍ରଥମାଷ୍ଟମୀରେ ପୋଢୁଆଁ କରାଯାଉଛି।
ପ୍ରଥମାଷ୍ଟମୀ ନୀତି ଅନୁସାରେ, ଭୋଗ ମଣ୍ଡପ ସରିବା ପରେ ୩ ବାଡ଼ରେ ମଇଲମ କରାଯାଇ ପୂଜାପଣ୍ଡା ସେବକଙ୍କ ଦ୍ୱାରା ମହାସ୍ନାନ ନୀତି ହୋଇଥାଏ । ଏହାପରେ ପାଳିଆ ପୁଷ୍ପାଳକ ଶ୍ରୀବିଗ୍ରହମାନଙ୍କୁ ନୂଆ ଲୁଗା ଲାଗି କରାଇଥାନ୍ତି । ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତ ସେବକ ଘଟୁଆରୀ ଚନ୍ଦନ ଘରଠାରୁ ଚନ୍ଦନ ବିଜେ କରାଇ ଆଣି ତିନି ବାଡରେ ଲାଗି କରାଇଥାନ୍ତି। ତତ୍ପରେ ବେଶ ଓ ଅଳଙ୍କାରରେ ବିମଣ୍ଡିତ ହୋଇ କର୍ପୂର ଲାଗି ହୋଇଥାଏ।
ତେବେ ତୃତୀୟ ଅନଙ୍ଗଭୀମ ଦେବଙ୍କ ଦ୍ୱାରା ୧୨ ଶହ ୨୬ ଖ୍ରୀଷ୍ଟାଦ୍ଦରୁ ମାଧବ ମନ୍ଦିରରୁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ପ୍ରଥମାଷ୍ଟମୀ ଭାର ଯିବାର ପରମ୍ପରା ରହିଛି । ଆଉ ସେବେଠାରୁ ଚାଲିଆସୁଛି ଏହି ପରମ୍ପରା।