ପୁଣିଥରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨ ଦୁଇ ଦିନିଆ ତେଲେଙ୍ଗାନା ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ। ମୋଦୀ ଚଳିତ ମାସ ୫ରେ ଓଡ଼ିଶା ଗସ୍ତରେ ଆସିବାକୁ ଥିବା ବେଳେ ଏହି ସମୟରେ ଚଣ୍ଡିଖୋଲଠାରେ ବିଭିନ୍ନ ସରକାରୀ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବିଜେପିର ଏକ ଦଳୀୟ ସଭାକୁ ସମ୍ବୋଧିତ କରିବେ। ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।
ମୁଖ୍ୟସଚିବଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୫ତାରିଖ ଅପରାହ୍ନରେ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରି ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଯାଜପୁରସ୍ଥିତ ଚଣ୍ଡିଖୋଲକୁ ଯାଇ ବିଭିନ୍ନ ସରକାରୀ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ସେଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଭୁବନେଶ୍ୱର ଫେରି କୋଲକାତା ଅଭିମୁଖେ ଯାତ୍ରା କରିବେ। ତେବେ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ମୁଖ୍ୟ ସଚିବ ଶ୍ରୀ ଜେନା ବରିଷ୍ଠ ପ୍ରଶାସନିକ ଓ ପୁଲିସ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ଏହି ବୈଠକରେ ଭୁବନେଶ୍ୱର ବିମାନ ବନ୍ଦର, ଚଣ୍ଡିଖୋଲ ହେଲିପ୍ୟାଡ ଓ କାର୍ଯ୍ୟକ୍ରମ ସ୍ଥଳରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଓ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଛି।ଏହା ସହ ତାଙ୍କର ଜରୁରୀକାଳୀନ ରହଣୀ ବ୍ୟବସ୍ଥା, କାରକେଡ୍ ବ୍ୟବସ୍ଥା, ମଂଚର ସୁରକ୍ଷା ଯାଂଚ, କାର୍ଯ୍ୟକ୍ରମ ସ୍ଥଳରେ ଜେନେରେଟର ସୁବିଧା ସହ ୨ଟି ଅତିରିକ୍ତ ଜେନେରେଟେର ରଖିବା ଆଦି ହୋଇଛି ।
ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ଆସନ୍ତା ୫ ତାରିଖ ଅପରାହ୍ନ ପ୍ରାୟ ୨ଟାରେ ଭୁବନେଶ୍ୱରରେ ପହଂଚିବେ । ସେଠାରୁ ସେ ସ୍ୱତନ୍ତ୍ର ହେଲିକପ୍ଟରରେ ଚଣ୍ଡିଖୋଲ ଯିବେ। ସେହିଦିନ ସନ୍ଧ୍ୟା ୫ଟାବେଳେ ଭୁବନେଶ୍ୱର ଫେରି ବାୟୁସେନା ବିମାନ ଯୋଗେ କୋଲକାତା ଅଭିମୁଖେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ଉଭୟ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।
ଅଧିକ ପଢନ୍ତୁ: ଅସହ୍ୟ ହେବ ତାତି, ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ନୋଟିସ