ଭୁବନେଶ୍ୱର : ଆଜି ମା' ଜଗତଜନନୀଙ୍କ ଭସାଣି ଯାତ୍ରା। ମନରେ କୋହ ଭରି ଆଜି ଭକ୍ତମାନେ ମା'ଙ୍କୁ ମେଲାଣି ଦେଉଛନ୍ତି। ତେବେ ଭସାଣିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବ ସହିତ ମଦ ବିକ୍ରି ଉପରେ କଟକଣା ଲଗାଯାଇଛି। ଏପିରିକି ମଦ ଦୋକାନ ଖୋଲିଲେ ସେହି ବ୍ୟକ୍ତିଙ୍କ ଉପରେ କଡା କାର୍ଯାନୁଷ୍ଠାନ ନିଆଯିବ। ତାସହିତ ବେଆଇନ ଚୋରା ମଦ ବିକ୍ରି ଉପରେ ମଧ୍ୟ କଡ଼ା ନଜର ରହିବ। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଖୁଚୁରା ମଦ ବିକ୍ରି ଉପରେ ଅବକାରୀ କମିଶନଙ୍କ କଡ଼ା ନଜର ରହିଛି। ଭସାଣୀ ବେଳେ ମଦ ପିଇ ଯେପରି କେହି ଉତ୍ପାତ ନ ହୁଅନ୍ତୁ ସେନେଇ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ଅନ୍ୟପଟେ ଭସାଣ ଉତ୍ସବକୁ ଖାସ କରିବା ପାଇଁ ସମସ୍ତ ପୂଜା କମିଟିମାନେ ଭରପୁର ଆୟୋଜନ କରିଛନ୍ତି। ପାରମ୍ପାରିକ ବାଦ୍ୟ ଓ ନୃତ୍ୟରେ କମ୍ପିବ ଭୁବନେଶ୍ୱର। ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଦିନ ୨ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଯାନାବାହାନ ଚଳାଚଳ ଉପରେ ରହିବ କଟକଣା। ରାଜଧାନୀରେ ୪ଟି ସ୍ଥାନରେ ଦେଖିବାକୁ ପାଇବେ ମାଙ୍କ ଭସାଣି। ନଦୀରେ କେମିକାଲ ଓ ପ୍ଲାଷ୍ଟିକ ଯେପରି ନପଡିବ ସେଥିପାଇଁ ବିଏମସି ତାର କୂଅଖାଇର ଦୁଇ ପଟ, ଦୟା ଓ ଭାଗର୍ବୀକୁ ମିଶାଇ ମୋଟ ୪ ଟି ଅସ୍ଥାୟୀ ପୁଷ୍କରିଣୀ କରିଛି। ଏହାସହିତ ପାଣିରେ ମା'ଙ୍କୁ ଭସାଣି ବେଳେ ମାର୍ଜିତ ଲୋକ ଯିବା ପାଇଁ ନିର୍ଦେଶ ଦିଆଯାଇଛି।