ପୁରୀ: ଆଜି ଚୈତ୍ର କୃଷ୍ଣ ଷଷ୍ଠୀ ତିଥି। ଏହି ପବିତ୍ର ତିଥି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜୀଉ ମାନଙ୍କର ଖସାପଡା ନୀତି। ମଧ୍ୟାନ୍ନ ଧୂପ ପରେ ଦଇତାପତି ସେବକମାନେ ରତ୍ନସିଂହାସନ ଉପରେ ଚଢ଼ି ଚାରିଘଣ୍ଟା ଧରି ମହାପ୍ରଭୁଙ୍କ ଏହି ଗୁପ୍ତନିତି ସମ୍ପାଦନ କରିବେ। ସେଥିପାଇଁ ସଂଧ୍ୟା ୬ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିବେ ଶ୍ରଦ୍ଧାଳୁ। ଖସାପଡା ନୀତି ଶ୍ରୀଜୀଉ ମାନଙ୍କର ଶ୍ରୀପୟର ସୁରକ୍ଷା ଲାଗି କରାଯାଇଥାଏ। ଏହି ନୀତିରେ ମହାପ୍ରଭୁଙ୍କ ଶ୍ରୀପୟରକୁ ଧଳା କପଡାରେ ଘୋଡାଇ ଦିଆଯାଏ। ବର୍ଷରେ ଦୁଇରୁ ତିନିଥର ଏହି ନିତି ସମ୍ପାଦନ କରାଯାଏ। ଯେହେତୁ ଦେବସ୍ନାନ ପୂର୍ଣ୍ଣମୀ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଆଦିରେ ମହାପ୍ରଭୁ ପହଣ୍ଡି ହୋଇଥିଲେ ଏଣୁ ତାହା ପୂର୍ବରୁ ଖସାପଡା ନୀତି କରାଯାଇଥିଲା। ଆଗକୁ ଆସନ୍ତା ଦେବସ୍ନାନ ପୂର୍ଣ୍ଣିମା ଓ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ରହିଥିବାରୁ ଶ୍ରୀଜୀଉ ମାନେ ପହଣ୍ଡି ହେବେ। ଏଣୁ ଏହାପୂର୍ବରୁ ଅର୍ଥାତ ଆଜି ପୂନର୍ବାର ଖସାପଡା ନୀତି ଅନୁଷ୍ଠିତ ହେବ ବୋଲି ଦଇତାପତି ସେବାୟତ ମାନେ କହିଛନ୍ତି।
ସେପଟେ ଏହା ଏକ ଗୁପ୍ତନୀତି ହୋଇଥିବାରୁ ୪ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମାତ୍ର ଖସାପଡା ନୀତି ସରିବା ପରେ ନିତିକ୍ରାନ୍ତି ପୂର୍ବ ଭଳି ଆଗକୁ ବଢିବ ଓ ସାଧାରଣ ଦର୍ଶନ ଆରମ୍ଭ ହେବ।।