ଜଗତସିଂହପୁର ଜିଲ୍ଲା ଢ଼ିଙ୍କିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏରସମା ତହସିଲ ଅନ୍ତର୍ଗତ ଫିରିକିଛିଟା କନ୍ଧା ମୌଜାରୁ ପେଟ୍ରୋକେମିକାଲ କଂପ୍ଲେକ୍ସ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ଏକ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି। ଆୟୋଜିତ ଏହି ଜନଶୁଣାଣୀ ଶିବିରରେ ଢ଼ିଙ୍କିଆ ସରପଞ୍ଚ କିଶୋର କୁମାର ପରିଡ଼ା ସଭାପତିତ୍ବ କରିଥିବା ବେଳେ କାର୍ଯ୍ୟ କ୍ରମରେ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ରାଉତ,ସ୍ଵତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଚିତ୍ତରଞ୍ଜନ ପିଲେ,ଏରସମା ଅତିରିକ୍ତ ତହସିଲଦାର ଦେବେନ୍ଦ୍ର କୁମାର ପାଲ୍, ଇଡକୋ ଜେନେରାଲ ମ୍ୟାନେଜର ସ୍ଵାତୀ ମିଶ୍ର ଓ ସହକାରୀ ଇଡକୋ ଅଧିକାରୀ ପୁରସ୍ତମ ଦାସ ପ୍ରମୁଖ ଯୋଗଦେଇଥିଲେ।
ଫିରିକଛିଟା କନ୍ଧା ମୌଜାର ୨୨୪ ଏକର ଜମି ଅଧିଗ୍ରହଣ କରାଯିବାର ଥିବା ବେଳେ କ୍ଷତିଗ୍ରସ୍ତ ଚାଷୀମାନେ ନିଜର ମତାମତ ପ୍ରଦାନ କରିଥିଲେ। ବିଗତ ଦିନରେ ପାରାଦୀପ ଅଞ୍ଚଳରେ ଶିଳ୍ପ କାରଖାନା ପାଇଁ ଜମି ଦେଇ ପରବର୍ତ୍ତୀ ସମୟରେ ଚାଷୀ ମାନେ ପ୍ରତାରିତ ହେଉଥିବାର ଅଭିଯୋଗ କରି କେତେକ ଚାଷୀ ପ୍ରକଳ୍ପ ନିମନ୍ତେ ଜମି ନଛାଡିବାକୁ ମତ ଦେଇଥିଲେ। ଏହାସହିତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ,ନିଶ୍ଚିତ ନିଯୁକ୍ତି ଓ ଅଞ୍ଚଳର ଶିକ୍ଷା,ସ୍ଵାସ୍ଥ୍ୟ ଏବଂ ଗମନାଗମନ ଓ ପାନୀୟ ଜଳ ସମସ୍ୟାର ସମାଧାନ ସହିତ ଏକର ପ୍ରତି ୫ କୋଟି ଟଙ୍କା କ୍ଷତିପୂରଣର ପ୍ରଦାନ କରାଗଲେ ପ୍ରକଳ୍ପ ପାଇଁ ଜମି ଛାଡିବେ ବୋଲି ଚାଷୀମାନେ କହିଥିଲେ।
ଚାଷୀ ମାନଙ୍କର ଏ ସମ୍ପର୍କିତ ସମସ୍ତ ମତାମତକୁ ଆଧାରକରି ଉପସ୍ଥିତ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତ କହିଥିଲେ ଯେ ୨୦୧୩ ବିସ୍ଥାପନ ଓ ଥଇଥାନ ନିତୀ ଅନୁଯାୟୀ ଜମିର ମୂଲ୍ୟାୟନ କରାଯିବ। ଏଠାରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଏକ ସ୍ଥାୟୀ ବ୍ୟବସ୍ଥାର ଆବଶ୍ୟକତା ରହିଛି। ଯେଉଁ ଚାଷୀମାନେ ନିଯୁକ୍ତି ପାଇବାକୁ ଚାଁହୁଚନ୍ତି ସେମାନେ ପ୍ରଥମେ ଏହା ପାଇଁ ଯୋଗ୍ୟ କି ନାହିଁ ତାହା ତଦାରଖ କରାଯିବ। ଏଥିପାଇଁ ଏକ ହସ୍ପିଟାଲ ବ୍ୟବସ୍ଥା ମଧ୍ୟ କରାଯିବ ଯାହା ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇବ।