ଭୁବନେଶ୍ୱର: ତିନି ଦିନ ଧରି ଆୟୋଜିତ ଦେଶର ପୋଲିସ ମହାନିର୍ଦ୍ଦେଶକ ସମ୍ମିଳନୀ ଆଜି ସଂପନ୍ନ ହୋଇଛି । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ସ୍ମାର୍ଟ ପୋଲିସିଂ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି । ଉଦଯାପନୀ ଭାଷଣରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସୁରକ୍ଷା ଆହ୍ୱାନର ଜାତୀୟ ଏବଂ ଅନ୍ତର୍ଜାତୀୟ ଦିଗ ଉପରେ ବ୍ୟାପକ ଆଲୋଚନା ହୋଇଛି। ବୈଠକ ବେଶ ସକରାତ୍ମକ ରହିଛି ।
ସମ୍ମିଳନୀରେ ଡିଜିଟାଲ ଠକେଇ, ସାଇବର ଅପରାଧ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ପ୍ରଯୁକ୍ତି କାରଣରୁ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବିପଦ, ବିଶେଷକରି ସାମାଜିକ ଏବଂ ପାରିବାରିକ ସମ୍ପର୍କକୁ ବ୍ୟାହତ କରିବା ପାଇଁ ଅବିକଳ ନକଲ ବା ଡିପ୍ ଫେକର ବ୍ୟବହାର ଆଶଙ୍କା ଉପରେ ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ବ୍ୟବସ୍ଥାକୁ ରଣନୀତିକ, ଯତ୍ନଶୀଳ, ନିର୍ଭରଯୋଗ୍ୟ ଓ ସ୍ୱଚ୍ଛ କରିବାକୁ ସେ ଦେଇଛନ୍ତି ଆହ୍ୱାନ। ସାଇବର ଅପରାଧ ରୋକିବା ପାଇଁ ଏଆଇ ଉପଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସ୍ମାର୍ଟ ପୁଲିସ ପ୍ରଶାସନର ମନ୍ତ୍ରକୁ ଅଧିକ ବିସ୍ତାର କରିବା ସହ ପୁଲିସକୁ ରଣନୀତିକ, ନିଷ୍ଠାପର, ଅନୁକୂଳ, ବିଶ୍ୱସନୀୟ ଓ ସ୍ୱଚ୍ଛ ହେବାକୁ ଆହ୍ୱାନ ଦେଇଛନ୍ତି।
୩ ଦିନିଆ ବୈଠକରେ ସୀମା ସୁରକ୍ଷା ଏବଂ ସାଇବର ଅପରାଧଠୁ ଆରମ୍ଭ କରି ନକ୍ସଲ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି। ଏଥିସହ ବେଆଇନ ଅନୁପ୍ରବେଶ, ଶରଣାର୍ଥୀ ସମସ୍ୟା, ମହିଳା ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ପରିଚାଳନା, ନିଶା କାରବାର ଓ ତଟ୍ଟ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ସହ ମାରାଥନ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କେତେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ କରିବାରେ ହ୍ୟାକାଥନର ସଫଳତା ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏକ ଜାତୀୟ ପୁଲିସ ହାକାଥନ ଆୟୋଜନ ଉପରେ ମଧ୍ୟ ବିଚାରବିମର୍ଶ କରିବାକୁ ପରାମର୍ଶ ଦେଇଥିଲେ।
ଡିଜିପି ସମ୍ମିଳନୀ ପାଇଁ ତିନି ଦିନିଆ ଓଡିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିଲ୍ଲୀ ଫେରି ଯାଇଛନ୍ତି। ଆଜି ଡିଜିପି ସମ୍ମିଳନୀ ସଂପନ୍ନ ହେବା ପରେ ଅପରାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହ ସ୍ଵତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଛନ୍ତି। ପ୍ରଧାନମନ୍ତ୍ରୀ ଏବଂ ଗୃହ ମନ୍ତ୍ରୀଙ୍କ ଏହି ଗସ୍ତ ଭିନ୍ନ ଭିନ୍ନ ଦୃଷ୍ଟି କୋଣରୁ ଥିଲା ବେଶ ଗୁରୁତ୍ବପୂର୍ଣ୍ଣ ।