କଟକ ସଦର ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ପୋଲିସ କର୍ମଚାରୀଙ୍କ ଦୁର୍ବ୍ୟବହାର ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିଶନରେଟ ପୋଲିସ। ସଦର ଥାନାର କାର୍ଯ୍ୟରତ ସମ୍ପୃକ୍ତ ଓ.ଏ.ପି.ଫ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି କଟକ ଡିସିପି । ଗତ ୨୨ ତାରିଖ ରାତିରେ କଟକ ସଦର ଥାନା ଅଞ୍ଚଳ ଶଙ୍ଖତ୍ରାସ ଗ୍ରାମରେ ଏକ ଗଣ୍ଡଗୋଳ ହେଉଥିବା ଖବର ପାଇ ସଦର ଥାନା ପିସିଆର ଘଟଣା ସ୍ଥଳରେ ପହଁଚିଥିଲା। ଏହି ପିସିଆରରେ ବସିଥିବା ଓ.ଏ.ପି.ଫ କର୍ମଚାରୀ ଜଣଙ୍କ ନିଶାଶକ୍ତ ଅବସ୍ଥାରେ ଥାଇ ସେଠାରେ ଛିଡ଼ା ହୋଇଥିବା ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ। ତେବେ ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ନିଲମ୍ବନ କରିବା ସହ ରିଜର୍ଭ ପୋଲିସକୁ ସ୍ଥାନାନ୍ତର କରାଯାଇଛି ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଡିସିପି।