ବୌଦ୍ଧ : ଭାରତ ପୃଥିବୀର ସର୍ବାଧିକ ଜନ ବହୁଳ ରାଷ୍ଟ୍ର। ପ୍ରାୟ ୧୪୫ କୋଟିରୁ ଅଧିକ ଲୋକସଂଖ୍ୟା ବିଶିଷ୍ଟ ଏହି ଦେଶରେ ବେକାରୀ ସମସ୍ୟା ଅତ୍ୟନ୍ତ ଉଦ୍ ବେଗର ବିଷୟ ପାଲଟିଛି। ଶିକ୍ଷିତ ଯୁବକ ଯୁବତୀ ମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ନିଯୁକ୍ତି ସେଇ ଅନୁସାରେ ମିଳୁ ନଥିବା ବିଭିନ୍ନ ତଥ୍ୟରୁ ଜଣାପଡେ। ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇଦେବା ସରକାରଙ୍କ କର୍ତ୍ତବ୍ୟ। ସେଇ କ୍ରମରେ ବୌଦ୍ଧ ସହରସ୍ଥ ଟାଉନ୍ ହଲ୍ ପରିସରରେ ଏକ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ଓ ରାଜ୍ୟ ବାହାର ନିଯୁକ୍ତି ପ୍ରଦାନ କରୁଥିବା ଅନୁଷ୍ଠାନଙ୍କ ପାଇଁ ବିଭିନ୍ନ ଷ୍ଟଲ ଖୋଲା ଯାଇଥିଲା। ଜିଲ୍ଲାର କୋଣ ଅନୁକୋଣରୁ ପ୍ରବଳ ବର୍ଷା ସତ୍ତ୍ୱେ ପ୍ରାୟ ୫୦୦ ରୁ ଅଧିକ ଶିକ୍ଷିତ ଯୁବକ ଯୁବତୀ ଆସିଥିଲେ ନିଯୁକ୍ତି ମେଳାର ସୁଯୋଗ ନେବା ପାଇଁ। ନିଜର ଯୋଗ୍ୟତା ଅନୁସାରେ ନିଯୁକ୍ତି ପାଇବା ପାଈଁ ସେମାନେ ବିଭିନ୍ନ ଷ୍ଟଲ୍ ବୁଲିଥିଲେ। ତେବେ ଷ୍ଟଲ୍ ରେ ଉପସ୍ଥିତ ଥିବା ପରାମର୍ଶଦାତା ମାନେ ଶିକ୍ଷିତ ଯୁବକ ଯୁବତୀ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ସେମାନଙ୍କୁ ଉପଯୁକ୍ତ ପରାମର୍ଶ ମଧ୍ୟ ପ୍ରଦାନ କରିଥିଲେ।