ବରଗଡ : ଭରତପୁର ଥାନା କର୍ମଚାରୀଙ୍କ ନିର୍ଯାତନା ମାମଲାରେ ସମସ୍ତ ଦୋଷୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁକରି ତୁରନ୍ତ ଗିରଫ କରିବା ସହ ରାଜ୍ୟର ସମସ୍ତ ଥାନା ରେ ସିସି ଟିଭି ଲଗେଇବା ଓ ଏହି ଘଟଣାର ତ୍ୱରିତ ନ୍ୟାୟ କରିବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଛି ।
ବୁଧବାର ବରଗଡ ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ପାର୍ଟି ର ଜିଲ୍ଲା ସଭାପତି ଭବାନୀ ସାହୁଙ୍କ ନେତୃତ୍ୱରେ ତିନି ଦଫା ଦାବିପତ୍ର ପ୍ରଦାନ କରାଯାଇଛି l ସୂଚନା ଥାଉକି, ଗତ ସେପ୍ଟେମ୍ବର ୧୫ତାରିଖ ଦିନ ସେନା ଅଧିକାରୀ ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀ କିଛି ଉଦଭ୍ରାନ୍ତ ଯୁବକ ମାନଙ୍କର ଦୌରାତ୍ମ୍ୟର ଶିକାର ହେବାପରେ ରାଜଧାନୀ ଉପକଣ୍ଠ ଭରତପୁର ଥାନାରେ ଅଭିଯୋଗ କରିବା ପାଇଁ ଯାଇ ଅତ୍ୟାଚାର ଶିକାର ହେବା ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି l ଏହି ଘଟଣାକୁ ଆମ୍ ଆଦମୀ ପାର୍ଟି ତରଫରୁ ପୀଡ଼ିତା ମହିଳା ଓ ସେନା ଅଧିକାରୀଙ୍କ ପ୍ରତି ପୋଲିସ ଦ୍ବାରା ହୋଇଥିବା ଅକଥନୀୟ ନିର୍ଯାତନାର କଡ଼ା ଶବ୍ଦରେ ନିନ୍ଦା କରିଯାଇଛି । ତେଣୁ ଘଟଣାରେ ନ୍ୟାୟ କରିବାକୁ ଦଳ ଦାବିପତ୍ର ପ୍ରଦାନ କରିଛି ।