ଭୁବନେଶ୍ବର: କଟକ ସହରରେ ଘଟିଥିବା ହିଂସା ଘଟଣାକୁ ନେଇ ପୁଲିସ୍ କମିସନର ସୁରେଶ ଦେବଦତ୍ତ ସିଂ ଗୁରୁବାର କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କୁ କମିସନରେଟ୍ ପୁଲିସ ଚେତାବନୀ ଦେଇଛି। ଆପତ୍ତିଜନକ ପୋଷ୍ଟ ନ କରିବାକୁ ପୁଲିସ୍ ପକ୍ଷରୁ ପରାମର୍ଶ ଜାରି କରାଯାଇଛି।
ସିପି କହିଛନ୍ତି କଟକ ହିଂସା ଘଟଣାରେ ବର୍ତମାନ ସୁଦ୍ଧା ୯ ଜଣଙ୍କୁ ଗିରଫ କରାଯାଇଛି। ପ୍ରଥମ ଦିନରେ ୬ ଜଣ ଏବଂ ଆଜି ୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଆପତ୍ତିଜନକ ପୋଷ୍ଟ ପାଇଁ ୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ରାଲି ପାଇଁ ଅନୁମତି ନଦେବାରୁ ହିଂସା ଘଟାଇଥିବା ୨୦ ଜଣ ଗିରଫ ହୋଇଛନ୍ତି। ପାଖାପାଖି ୩୦୦ରୁ ଊର୍ଦ୍ଧ୍ବ ସୋସିଆଲ ମିଡିଆ ପୋଷ୍ଟକୁ ହଟାଇ ଦିଆଯାଇଛି। ସଦ୍ଭାବନା ଓ ଶାନ୍ତି ଭଙ୍ଗ କରିଥିବା ଲୋକଙ୍କୁ ଦମନ କରାଯିବ। ଅଭିଯୁକ୍ତମାନଙ୍କର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।
ପୁଲିସ କମିସନର ପରାମର୍ଶ ମାଧ୍ୟମରେ କହିଛନ୍ତି ଯେ ନିଜ କ୍ୟାରିୟର ଉପରେ ଦୃଷ୍ଟିରେ ଦିଅନ୍ତୁ। ସାମାଜିକ ଗଣମାଧ୍ୟମରେ କିଛି ବି ଅପପ୍ରଚାର କରନ୍ତୁ ନାହିଁ। ବର୍ତମାନ କଟକରେ ସ୍ଥିତି ନିୟନ୍ତ୍ରଣରେ ଅଛି। ଜନଜୀବନ ସ୍ବାଭାବିକ ଭାବେ ଚାଲିଛି। ହିଂସାକୁ ତୁରନ୍ତ ନିୟନ୍ତ୍ରଣ କରାଯାଇଛି। ସତର୍କତା ଅବଲମ୍ବନ କରାଯାଇଛି। ପୁଲିସ କଟକ ଉପରେ କଡା ନଜର ରଖିଛି।
ସୂଚନାଯୋଗ୍ୟ, କଟକ ସହରରେ ଦଶହରା ଭଷାଣୀ ବେଳେ ୨ଟି ଗୋଷ୍ଠୀ ମଧ୍ୟରେ ହିଂସା ଦେଖାଯାଇଥିଲା। ଏହି ଘଟଣା ସମୟ କ୍ରମେ ବଢ଼ି ଚାଲିଥିଲା। ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ପୁଲିସ ମୁତୟନ କରାଯାଇଥିଲା। ଏହି ସମୟରେ ଦୁର୍ବୃତ୍ତମାନେ ପୁଲିସ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣରେ ମୋଟ ୨୫ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୮ଜଣଙ୍କର ଅବସ୍ଥା ଗୁରୁତର ଥିଲା। ପରିସ୍ଥିତିର ମୁକାବିଲା କରିବା ପାଇଁ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଥିଲା। କଟକ ସହରର ୧୩ଟି ଥାନା ଅଞ୍ଚଳରେ ଦୁଇଦିନ ପାଇଁ ଇଣ୍ଟରନେଟ ସେବା ଲାଗୁ ବନ୍ଦ କରିଥିଲା। ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଜାରି କରିଥିଲା।