ପୁରୀରେ ନୂତନ ଏସପି ଭାବେ ଆଜି ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ପିନାକ ମିଶ୍ର। ଆଜି ଦାୟିତ୍ଵ ଗ୍ରହଣ ପରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଏହାସହିତ ସେ କହିଛନ୍ତି ଯେ ମହାପ୍ରଭୁଙ୍କ ଆଶୀର୍ବାଦ ଓ ଅପାର କରୁଣାରୁ ସେ ପୁରୀରେ ଏସପି ଭାବେ ଯୋଗ ଦେଇଛନ୍ତି। ତେଣୁ ଶ୍ରୀମନ୍ଦିର ଭିତରେ ଓ ବାହାରେ ଭିଡ ନିୟନ୍ତ୍ରଣ ସହ ଭକ୍ତଙ୍କ ସୁରକ୍ଷା ଓ ଭକ୍ତମାନେ କିଭଳି ମହାପ୍ରଭୁଙ୍କର ଭଲରେ ଦର୍ଶନ କରିପାରିବେ ଏହା ପୋଲିସ ପ୍ରଶାସନ ପାଇଁ ପ୍ରଥମ ପ୍ରାଥମିକତା ରହିବ। ସେବାୟତ,ଗଣମାଧ୍ୟମ ପ୍ରତିନିଧି ,ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରଖି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ କିଭଳି ଭଲ ଅନୁଭୁତି ନେବେ ତାହା ମଧ୍ୟ ଆମର ଗୁରୁତ୍ୱ ପୁର୍ଣ ଦାୟିତ୍ୱ ରହିବ।
ଆଗକୁ ସାଧାରଣ ନିର୍ବାଚନ ଓ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଆସୁଛି। ତେଣୁ ନିର୍ବାଚନରେ ଶାନ୍ତି ଶୃଙ୍ଖଳା ଓ ସୁରୁଖୁରୁରେ ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଏବେ ଠାରୁ ଏହି ପ୍ରସ୍ତୁତିକୁ ଆହୁରି ଜୋରଦାର କରାଯିବ। ତେବେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୁଖା ଓ ଅଭିଜ୍ଞ ପୋଲିସ କର୍ମଚାରୀଙ୍କ ସହାୟତା ନିଆଯିବ।
ପୁରୀ ଏକ ଆଧ୍ୟାତ୍ମିକ,ସାଂସ୍କୃତିକ ଓ ପର୍ଯ୍ୟଟନ ସହର ହୋଇଥିବାରୁ ଏଠାରେ ଅପରାଧ ଓ ଅପରାଧୀଙ୍କ ପାଇଁ କୌଣସି ସ୍ଥାନ ନାହିଁ। ଅପରାଧୀଙ୍କୁ ଦୃଢ଼ ହସ୍ତରେ ଦମନ କରାଯିବା ସହିତ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏସପି ପିନାକ ମିଶ୍ର। ତେବେ ଏହାସହିତ ଜିଲ୍ଲାର ସବୁ ଥାନାର ଅଧିକାରୀ ଓ ପୋଲିସ କର୍ମଚାରୀଙ୍କୁ ଜନସାଧାରଣଙ୍କ ପ୍ରତି ଉଚିତ୍ ଆଚରଣ ପ୍ରଦର୍ଶନ ସହ ନିୟମିତ ଲୋକଙ୍କ ଅଭିଯୋଗ ଶୁଣାଣୀ ଓ ତାର ତ୍ୱରିତ୍ ସମାଧାନ ପାଇଁ ସେ ପରାମର୍ଶ ଦେଇଛନ୍ତି । ପୁରୀ ,ରାଜ୍ୟ ସମେତ ସମଗ୍ର ଦେଶରେ ସାଇବର ଅପରାଧ ଏକ ପ୍ରମୁଖ ସମସ୍ୟା। ଜନସାଧାରଣ ସଚେତନ ହେବା ସହ ପୁରୀ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସାଇବର ଅପରାଧ ନେଇ ବ୍ୟାପକ ସଚେତନ କରାଯିବ। ସେହିପରି ଦାଦବଟି ରୋକିବା , ଜନଗହଳି ନିୟନ୍ତ୍ରଣ ,ଟ୍ରାଫିକ ସୁପରିଚାଳନା ,ଅପରାଧ ନିୟନ୍ତ୍ରଣ ଦିଗରେ ପୋଲିସ କାର୍ଯ୍ୟ କରିବ।
ଅଧିକ ପଢନ୍ତୁ ; ଦୁଷ୍କର୍ମର ଶିକାର ହେଲେ ନାବାଳିକା