ବାଲେଶ୍ୱର: ବନ୍ୟାର ଶିକାର ହୋଇଛି ଉତ୍ତର ବାଲେଶ୍ୱର । ଲୋକମାନଙ୍କୁ ଚିନ୍ତାରେ ପକାଇ ଦେଇଛି ବନ୍ୟା । ନଦୀରେ ଜଳସ୍ତର କମିଥିଲେ ମଧ୍ୟ ବନ୍ୟା ହେବା ଫଳରେ ଲୋକଙ୍କ ଚିନ୍ତାକୁ ବଢାଇ ଦେଇଛି । ଏବେ ବନ୍ୟା ଜଳ ବିପଦ ସଂକେତ ତଳେ ପ୍ରାବାହିତ ହେଉଛି । ସୁବର୍ଣ୍ଣରେଖା ନଦୀର ବନ୍ୟା ଆସିବା ଫଳରେ ଉତ୍ତର ବାଲେଶ୍ୱରର ୪ଟି ବ୍ଲକର ୨୧ଟି ପଞ୍ଚାୟତର ୬୦ରୁ ଅଧିକ ଗାଁ ଜଳବନ୍ଦୀ ହୋଇ ରହିଛି। ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ବାଲିଆପାଳ ଏବଂ ଭୋଗରାଇ ବ୍ଲକ୍ । ହଜାର ହଜାର ହେକ୍ଟର ପନିପରିବା ଚାଷ ବନ୍ୟା ପାଣିରେ ବୁଡି ରହିଛି । ଘରେ ବନ୍ୟା ପାଣି ପଶିଥିବାରୁ ନଦୀ ବନ୍ଧ ଏବଂ ରାସ୍ତା ଉପରେ ବିପନ୍ନଙ୍କ ପରିବାର ଆଶ୍ରୟ ନେଇଛନ୍ତି।
ସୁବର୍ଣ୍ଣରେଖା ନଦୀ ଅବବାହିକାରେ ହଜାର ହଜାର ହେକ୍ଟର ଜମିରେ ହୋଇଥିବା ପନିପରିବା ଚାଷ ବନ୍ୟା ପାଣିରେ ବୁଡି ରହିଛି । ଯାହା ଫଳରେ ଚାଷୀ ମାନଙ୍କ ମୁଣ୍ତରେ ଚଡକ ପଡିଛି । ଅଧିକାଂଶ ଲୋକଙ୍କ ଘରେ ଚୂଲି ଜଳିନି, ନଳକୂପ ଗୁଡିକ ପାଣି ରେ ବୁଡି ରହିଥିବାରୁ ପିଇବା ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି । ଆଜି ସକାଳୁ ବର୍ଷା ଲାଗି ରହିଛି । ଫଳରେ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ଆହୁରି ବଢିଯାଇଛି ।