କଟକ: ଆଜି କଟକ ଆଠଗଡ଼ ଧବଳେଶ୍ବର ପୀଠରେ ଦ୍ବିତୀୟ ପଞ୍ଚୁକ ପର୍ବ ଅନୁଷ୍ଠିତ ହୋଇଛି । ବାବା ଧବଳେଶ୍ବର ଭକ୍ତମାନଙ୍କୁ ଚନ୍ଦ୍ରଚୂଡ଼ ବେଶରେ ଦର୍ଶନ ଦେଉଛନ୍ତି । ସକାଳୁ ସକାଳୁ ବାବାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ପବିତ୍ର ପଞ୍ଚୁକ ପର୍ବ ପାଇଁ ବାବା ଧବଳେଶ୍ବରର ଦୁର୍ଲ୍ଲଭ ଚନ୍ଦ୍ରଚୂଡ଼ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଭୋର ୩ଟାରୁ ବାବା ଧବଳେଶ୍ବରଙ୍କ ପହଡ଼ ଖୋଳାଯିବାପରେ ରୀତିନୀତି ଅନୁସାରେ ୧୦୮ କଳସ ସୁବାସିତ ଜଳରେ ସ୍ନାନ କରାଯିବା ସହିତ ସମସ୍ତ ନୀତିକାନ୍ତି କରାଯାଇଥିଲା । ତା ପରେ ବାବା ଧବଳେଶ୍ବରଙ୍କୁ ଚନ୍ଦ୍ରଚୂଡ଼ ବେଶରେ ସୁସଜ୍ଜିତ କରାଯାଇଥିଲା । ମନ୍ଦିରରେ ପ୍ରବଳ ଗହଳିକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି ।