ଭୁବନେଶ୍ୱର : ଲାଗୁ ହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ ୨୦୨୪ । ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମପତିଙ୍କ ସ୍ୱୀକୃତି ମିଳିବା ପରେ ଏହା ରାଜ୍ୟରେ ଲାଗୁ ହୋଇଛି । ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ ଅନୁସାରେ ଏବେ ବିଶ୍ୱବିଦ୍ୟାଳୟକୁ ମିଳିବ ଅଧିକ ସ୍ୱାୟତ୍ତତା । ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ । ଏହାସହ ଏବେ ବିଶ୍ୱବିଦ୍ୟାଳୟରେ ସିନେଟ୍ ବ୍ୟବସ୍ଥା ରହିବ । କୁଳପତି ଓ ଅଧ୍ୟାପକ ଚୟନରେ ସରକାରୀ ହସ୍ତକ୍ଷେପ କମିବ । ଉଚ୍ଚଶିକ୍ଷା କ୍ଷେତ୍ରରେ ଏହା ନୂଆ ସୂର୍ଯ୍ୟୋଦୟ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ଏହାର ଗୁରୁତ୍ୱାରୋପ କରି କହିଛନ୍ତି ଯେ ଏହି ଆଇନ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା, ଦୀର୍ଘକାଳୀନ ଚ୍ୟାଲେଞ୍ଜର ମୁକାବିଲା କରିବା ଏବଂ ଶୈକ୍ଷିକ ଉତ୍କର୍ଷତା ବୃଦ୍ଧି କରିବା ପାଇଁ ଏକ ପରିବର୍ତ୍ତନକାରୀ ପରିବର୍ତ୍ତନ ଆଣିବ। ଏପ୍ରିଲ ୨ରେ ବିଧାନସଭାରେ ଏସମ୍ପର୍କିତ ବିଲ୍ ପାରିତ ହୋଇଥିଲା ।
ତେବେ ସଂଶୋଧିତ ଏହି ଆଇନର କଣ ରହିଛି ନିୟମ :-
- ବିଶ୍ୱବିଦ୍ୟାଳୟରେ ଅଧ୍ୟାପକମାନଙ୍କର ନିଯୁକ୍ତି ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା କରାନଯାଇ ବିଶ୍ୱବିଦ୍ୟାଳୟର ଶିକ୍ଷାବିତଙ୍କୁ ନେଇ ଗଠିତ ଏକ କମିଟି ଦ୍ୱାରା କରାଯିବ।
- ବିଶ୍ୱବିଦ୍ୟାଳୟର କୁଳପତି ଚୟନ ନିମନ୍ତେ ତିନିଜଣ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ ହେବ। କମିଟିରେ କେବଳ ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ବା ଶିକ୍ଷାବିତ୍ ହିଁ ସଦସ୍ୟ ଭାବେ ରହିପାରିବେ।
– ନୂଆ ସଂଶୋଧନ ନିୟମରେ ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ବୟସ ସୀମା ୬୭ ବର୍ଷରୁ ୭୦ ବର୍ଷକୁ ବୃଦ୍ଧି କରାଯାଇଛି।
– ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୪ ଲାଗୁ ହେବା ଦ୍ୱାରା ବିଶ୍ୱବିଦ୍ୟାଳୟ ପ୍ରଶାସନରେ ସିନେଟ୍ର ପୁନଃ-ଅନ୍ତର୍ଭୁକ୍ତିକରଣକୁ ସୁନିଶ୍ଚିତ କରାଯାଇଛି । ସିନେଟ୍ ହେଉଛି ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ପରାମର୍ଶଦାତା ସଂସ୍ଥା ଯାହାକି ସମସ୍ତ ବର୍ଗ ଯଥା ଶିକ୍ଷାବିତ୍, ଅଧ୍ୟାପକ, ଛାତ୍ରଛାତ୍ରୀ, ପ୍ରଶାସନିକ କର୍ମଚାରୀ ଆଦିଙ୍କୁ ନେଇ ଗଠିତ ଏବଂ ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷା କ୍ଷେତ୍ରର ବିକାଶ ପାଇଁ ଏହା ମତାମତ ପ୍ରଦାନ କରିଥାଏ । ନୂଆ ସଂଶୋଧିତ ଆଇନ ଅନୁଯାୟୀ, ବିଶ୍ୱବିଦ୍ୟାଳୟରେ ସିନେଟ୍ ବ୍ୟବସ୍ଥାକୁ ପୁନଃ ଅନ୍ତର୍ଭୁକ୍ତ କରାଯିବା ସହ ପ୍ରତି ବର୍ଷ ଦୁଇଥର ସିନେଟର ବୈଠକ ଅନୁଷ୍ଠିତ ହେବ। ଏଥିସହ ସିନେଟରେ ସର୍ବମୋଟ ୬୮ଜଣ ସଦସ୍ୟ ରହିଥିବାର ବ୍ୟବସ୍ଥା ଥିବାବେଳେ ଏଥରେ ଅତିକମ୍ରେ ୩୭ଜଣ ସଦସ୍ୟ ଶିକ୍ଷକ, ଶିକ୍ଷାବିତ୍ ଏବଂ ଛାତ୍ରସମାଜରୁ ରହିବାର ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଛି ।
- ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତହେବା ଦ୍ୱାରା ସ୍ନାତକ ଏବଂ ସ୍ନାତକୋତ୍ତର ସ୍ତରର ବିଭିନ୍ନ ପାଠ୍ୟକ୍ରମରେ ଶିକ୍ଷକ ଓ ଛାତ୍ରଛାତ୍ରୀ ଅନୁପାତକୁ ସୁନିଶ୍ଚିତ କରାଯାଇପାରିବ । ଗୁଣାତ୍ମକ ଉଚ୍ଚଶିକ୍ଷାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଓ ରାଜ୍ୟରେ ମୋଟ୍ ନାମଲେଖା ଅନୁପାତ ବଢ଼ାଇବା ନିମନ୍ତେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟରେ “ଦୂରଶିକ୍ଷା” ବ୍ୟବସ୍ଥାକୁ ପ୍ରଣୟନ କରାଯିବ। ବିଶ୍ୱବିଦ୍ୟାଳୟର ଆର୍ଥିକ ପରିଚାଳନାର ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଅର୍ଥ କିମିଟିର ଗଠନ କରାଯିବ। ଭିତ୍ତିଭୂମି ପ୍ରକଳ୍ପ ବିକାଶର ସମୀକ୍ଷା ଓ ଯାଞ୍ଚ ନିମନ୍ତେ କୋଠାବାଡ଼ି ଓ ନିର୍ମାଣ କମିଟି ଗଠନର ପ୍ରସ୍ତାବ ଦିଆଯିବ । ଏଥିସହିତ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରାପ୍ତ କିମ୍ବା ଅର୍ଜିତ ସମସ୍ତ ପରିମାଣର ଅର୍ଥରାଶି ଭାରତ ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକଙ୍କ ଦ୍ୱାରା ଅଡିଟ୍ କରାଯାଇ ତାହାର ବିବରଣୀ ରାଜ୍ଯ ବିଧାନସଭାରେ ଉପସ୍ଥାପନ କରାଯିବ ।