ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ ଅନ୍ତର୍ଗତ କୁଚେଇପଦର୍ ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକ ଦାଦନ ଖଟିବାକୁ ଯାଇ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ କୁଚେଇପଦର ଗ୍ରାମର ଲିଙ୍ଗରାଜ ମାଝିଙ୍କ ପୁଅ ଗୁରୁନାଥ ମାଝି।
ସୂଚନା ମୁତାବକ ଗୁରୁନାଥ ତାମିଲନାଡ଼ୁର ଏକ ସୂତା କଳରେ ଶ୍ରମିକ ଭାବେ କାମ କରୁଥିଲେ। କମ୍ପାନୀରେ କାମ ସାରିବା ପରେ କୌଣସି କାର୍ଯ୍ୟ ପାଇଁ ବଜାରକୁ ଯାଇଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ମୃତକଙ୍କ ମରଶରୀରକୁ ଆମ୍ବୁଲାନ୍ସ ଯୋଗେ ଗାଁକୁ ଫେରାଇ ଆଣୁଥିବା ମାନବଧିକାର କର୍ମୀ ସଦନ ମାଝି ଏନେଇ ସୂଚନା ଦେଇଛନ୍ତି। ଜିଲ୍ଲାରେ ଏଭଳି ଦାଦନ ମୃତ୍ୟୁ ଏକ ନିତିଦିନିଆ ଘଟଣା ଭାବେ ଦେଖିବାକୁ ମିଳୁଥିବା ବେଳେ ଏ ନେଇ ପ୍ରଶାସନ ଓ ଶ୍ରମ ବିଭାଗର କାର୍ଯ୍ୟକଳାପ ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅପରପକ୍ଷେ କାଶୀପୁର ବ୍ଲକରେ ଉତ୍କଳ ଆଲୁମିନା କମ୍ପାନୀ ଦୀର୍ଘ ବର୍ଷ ହେଲା ରହିଥିଲେ ମଧ୍ୟ ସ୍ଥାନୀୟ ଯୁବତୀଯୁବକଙ୍କୁ କୌଣସି ପ୍ରଶିକ୍ଷଣ ସଠିକ୍ ଭାବେ ମିଳୁନାହିଁ କି ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳୁନାହିଁ ବୋଲି ଅଂଚଳବାସୀ ଅଭିଯୋଗ କରିଛନ୍ତି। ରାୟଗଡ଼ା ବିଧାୟକ ଆପଲସ୍ୱାମୀ କାଡ୍ରାକା ମଧ୍ୟ ଏନେଇ ଉଦବେଗ ପ୍ରକାଶ କରିବା ସହିତ ଜିଲାରେ ୫ରୁ ଉରର୍ଦ୍ଧ୍ବ ବଡ଼ ଧରଣର ଶିଳ୍ପ ପ୍ରତିଷ୍ଠାନ ରହିଥିଲେ ମଧ୍ୟ ଜିଲାର ଯୁବତୀଯୁବକଙ୍କୁ ସ୍ଥାୟୀ ନିଯୁକ୍ତି ମିଳୁନଥିବା ଅଭିଯୋଗ କରିଛନ୍ତି। ଏପରିକି କଂସାରିଗୁଡ଼ା ଠାରେ ଆରମ୍ଭ ହେବାକୁ ଥିବା ପୋଷାକ ତିଆରି ୟୁନିଟର ଏଯାବତ୍ ଫାଉଣ୍ଡେସନ କାମ ମଧ୍ୟ ଆରମ୍ଭ ହୋଇନାହିଁ। ଫଳରେ ଯୁବତୀଯୁବକମାନେ ପରିବାର ଭରଣପୋଷଣ ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି ଏବଂ ଶାରିରୀକ ଓ ମାନସିକ ନିର୍ଯାତନାର ଶିକାର ହେଉଛନ୍ତି।