ଭୁବନେଶ୍ୱର: ତାତିରେ କରୁଛି ତାଣ୍ତବ । କଲବଲ ହୋଇଗଲାଣି ପୂରା ରାଜ୍ୟ। ପ୍ରଚଣ୍ତ ତାତି ଓ ଅସମ୍ଭାଳ ଗୁଳୁଗୁଳି ମିଳିବନି ତ୍ରାହି ଏବଂ ଏଥର ମୌସୁମୀ ଭି ଶୀଘ୍ର ଆସିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ତେବେ ୧୧ ତାରିଖ(ରବିବାର) ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର, ବୌଦ୍ଧ ଓ ସୁନ୍ଦରଗଡ଼ରେ ଗ୍ରୀଷ୍ମଲହରୀ ବହିପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ମୟୂରଭଞ୍ଜରେ ପ୍ରବଳ ତାତି ଓ ଗୁଳୁଗୁଳି ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ଏହା ସହିତ କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ମଧ୍ୟ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ସେହିପରି ୧୨ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତିର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । କିଛି ସ୍ଥାନରେ ପବନର ଝଟ୍କା ୪୦ରୁ ୫୦ କିମି ଛୁଇଁପାରେ । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଗରମ ଓ ଗୁଳୁଗୁଳି ନାକେଦମ କରିବ । ୧୩ରୁ ୧୫ ତାରିଖ ଯାଏ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମଲହରୀ ବହିବ । ୧୫ ଓ ୧୬ ତାରିଖରେ ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।