ଆସନ୍ତା ଫେବୃଆରୀ ୨୦ ତାରିଖରୁ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା । ଏଥିପାଇଁ ସୋମବାରଠାରୁ ପ୍ରଶ୍ନପତ୍ର ବୋର୍ଡ କାର୍ଯ୍ୟାଳୟରୁ ୭ ଜିଲ୍ଲାକୁ ପଠାଯାଇଛି । କଳାହାଣ୍ଡି ,ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, କୋରାପୁଟ, ନୂଆପଡ଼ା ଏବଂ ବରଗଡ଼ ଜିଲ୍ଲାକୁ ଏହି ପ୍ରଶ୍ନପତ୍ର ପଠାଯାଇଛି । ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ, ଉପସଭାପତି ଡ଼ଃ ନିହାର ରଞ୍ଜନ ମହାନ୍ତି ପ୍ରମୁଖଙ୍କ ଉପସ୍ଥିତିରେ ବୋର୍ଡ ଷ୍ଟ୍ରଙ୍ଗ୍ ରୁମ୍ରୁ ପ୍ରଶ୍ନପତ୍ରଗୁଡ଼ିକୁ ଟ୍ରକ୍ରେ କଡ଼ା ସୁରକ୍ଷା ବଳୟରେ ପଠାଯାଇଥିଲା । ପ୍ରଶ୍ନପତ୍ର ସୁରକ୍ଷା ପାଇଁ ପୁଲିସ୍ ଟିମ୍ ସହ ବୋର୍ଡ କର୍ମଚାରୀମାନେ ମଧ୍ୟ ରହିଛନ୍ତି । ଚଳିତ ବର୍ଷ ୫ଲକ୍ଷ ୫୧ହଜାର ୬୧୧ ପରୀକ୍ଷାର୍ଥୀ ଦେବ ପରୀକ୍ଷା ।
ତେବେ ଆଜି ସନ୍ଧ୍ୟା ସୁଦ୍ଧା ୭ଟି ଯାକ ଜିଲ୍ଲାର ନୋଡାଲ୍ ସେଣ୍ଟରଗୁଡ଼ିକରେ ପ୍ରଶ୍ନପତ୍ର ପହଞ୍ଚିଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି । ନୋଡାଲ୍ ସେଣ୍ଟରରେ ସୁପରିଟେଣ୍ଡେଣ୍ଟ୍ମାନେ ପର୍ଯ୍ୟବେକ୍ଷକ ଓ ପୁଲିସ୍ ଉପସ୍ଥିତିରେ ପ୍ରଶ୍ନପତ୍ର ପ୍ୟାକେଟ୍ଗୁଡ଼ିକୁ ଗ୍ରହଣ କରିବେ । ନୋଡାଲ୍ ସେଣ୍ଟରରେ ପ୍ରଶ୍ନପତ୍ର ସୁରକ୍ଷିତ ଅଛି କି ନାହିଁ ତାହା ଜିଲ୍ଲା ଶିକ୍ଷାଧିକାରୀମାନେ ତଦାରଖ କରି ବୋର୍ଡ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦେବେ । ତେବେ ୧୭ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲାର ନୋଡାଲ୍ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
ଅଧିକ ପଢନ୍ତୁ :- ସମୂହ ଛୁଟିରେ ପ୍ରାଣୀ ଚିକିତ୍ସକ, ବଢୁଛି ପଶୁପାଳକଙ୍କ ଦୁର୍ଦ୍ଦଶା