ବଲାଙ୍ଗିର : ଆସନ୍ତା ଜାନୁଆରୀ ମାସ ୫ ତାରିଖରୁ ଆରମ୍ଭ ହେବ ସର୍ବଭାରତୀୟ ବହୁଭାଷୀ ନାଟକ ମଠଖାଇ ମହୋତ୍ସବ। ଏଥିପାଇଁ ଆଜି ସ୍ଥାନୀୟ ମହାଲକ୍ଷ୍ମୀ ନଗର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଏହି ସୂଚନା ଦିଆଯାଇଛି । ମଠଖାଇ ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ବଲାଙ୍ଗିର ପୂର୍ବତନ ବିଧାୟକ ନରସିଂହ ମିଶ୍ର ମଠଖାଇ ମହୋତ୍ସବର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି । ଆସନ୍ତା ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ମଠଖାଇ ମହୋତ୍ସବ ପାଳିତ ହେବ। ପ୍ରଥମ ଦିନରେ ସହରର ବିଭିନ୍ନ ସ୍ଥାନରେ ପଥ ପ୍ରଦର୍ଶନୀ କାର୍ଯ୍ୟକ୍ରମ ହେବ । ବଲାଙ୍ଗିର ଜିଲ୍ଲାରେ ସୁନାମ ବୃଦ୍ଧି କରିଥିବା ବ୍ୟକ୍ତିଙ୍କ ନାମରେ ପ୍ରତିଦିନ ମଞ୍ଚ ସମର୍ପଣ କରାଯିବ ଏବଂ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ସେହିପରି କୋଶଳୀ, ହିନ୍ଦୀ ଓ ଓଡ଼ିଆ ଭାଷାର ନାଟକ ପ୍ରଦର୍ଶିତ ହେବା ସହିତ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କଳାକାର ମାନଙ୍କ ଦ୍ଵାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ସୂଚନା ରହିଛି । ତେବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅଞ୍ଚଳର କଳା, ସଂସ୍କୃତିର ପ୍ରଚାର ପ୍ରସାରରେ ସହଯୋଗ କରିବାକୁ ପୂର୍ବତନ ବିଧାୟକ ନରସିଂହ ମିଶ୍ର ନିବେଦନ କରିଛନ୍ତି ।