ପୁରୀ ସମୁଦ୍ରରେ ପୁଣି ଘଟିଛି ଏକ ଅଘଟଣ । ସମୁଦ୍ରରେ ଗାଧୋଇବା ସମୟରେ ବୁଡିଗଲେ ପର୍ଯ୍ୟଟକ । କୁହାଯାଏ ରଖିଲେ ସିଏ ମାରିବ କିଏ । ତେଣୁ ସଠିକ ସମୟରେ ଦେବଦୁତ ସାଜି ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ ଗାର୍ଡ । ଉଦ୍ଧାର କରାଯାଇଥିବା ପର୍ଯ୍ୟଟକ ଜଣଙ୍କ ହେଉଛନ୍ତି ପୁରୀ ସଦରର ବାସି । ଏଭଳି ଅଘଟଣାରୁ ବଞ୍ଚାଇଥିବାରୁ ଲାଇଫ ଗାର୍ଡଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି।
ସୂଚନା ଅନୁସାରେ, ମଙ୍ଗଳବାର ଦିନ ସକାଳ ସମୁଦ୍ରକୂଳର ସେକ୍ଟର ୬ ଓ ୭ରେ ବ୍ୟକ୍ତି ଜଣକ ଗାଧୋଇବା ସମୟରେ ରିପ୍ କରେଣ୍ଟରେ ପଡି ସମୁଦ୍ର ଭିତରକୁ ଭାସିଯାଇଥିଲେ । ସେହି ସମୟରେ ଉପସ୍ଥିତ ଥିବା ପର୍ଯ୍ୟଟକ ମାନେ ଚିତ୍କାର କରିଥିଲେ । ପର୍ଯ୍ୟଟକଙ୍କ ଚିତ୍କାର ଶୁଣି ଲାଇଫ ଗାର୍ଡ ମାନେ ତୁରନ୍ତ ସମୁଦ୍ର ଭିତରକୁ ଯାଇ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା । ତେବେ ଚିକିତ୍ସା ପରେ ତାଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି। ତେବେ ପ୍ରଶାସନ ପକ୍ଷରୁ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ସୁରକ୍ଷିତ ସମୁଦ୍ର ସ୍ନାନ ନେଇ କୌଣସି ସାଇନ ବୋର୍ଡ ଲଗାଯାଇନଥିବାରୁ ପ୍ରତିଦିନ ଏଭଳି ଘଟଣା ଘଟୁଛି ବୋଲି ଅଭିଯୋଗ ହୋଇଛି।
ଅଧିକ ପଢନ୍ତୁ :ଭାରସାମ୍ୟ ହରାଇ ପୋଖରୀକୁ ଖସିଲା କାର୍