ଜୟପୁର: ପେପରଲେସ୍ ହୋଇଛି ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ। ସରକାରଙ୍କ OSWAS ସଫ୍ଟୱେରକୁ କାର୍ଯ୍ୟକାରୀ କରାଯାଇ ଗତ ଗୋଟିଏ ବର୍ଷ ମଧ୍ୟରେ କାଗଜ ବ୍ୟବହାରରେ ଲକ୍ଷଣୀୟ ହ୍ରାସ ଆସିଥିବା ସହ ସାଧାରଣ ଲୋକଙ୍କ କାର୍ଯ୍ୟ ଅଧିକ ସହଜ ଓ ଦ୍ରୁତ ହୋଇପାରିଛି ।
OSWAS ସଫ୍ଟୱେର ମାଧ୍ୟମରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏପର୍ଯ୍ୟନ୍ତ ପ୍ରାୟ ୮୦୦ଟି ଫାଇଲ ଏବଂ ୫୦୦ରୁ ଅଧିକ ଡାକ ଅନଲାଇନ୍ ମାଧ୍ୟମରେ ପ୍ରୋସେସିଂ କରାଯାଇଛି। ଏହା ଫଳରେ ଫାଇଲ ନିଷ୍ପତ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ବୃଦ୍ଧି ପାଇଥିବା ସହ ସମୟ ସଞ୍ଚୟ ମଧ୍ୟ ସମ୍ଭବ ହୋଇଛି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ଅଞ୍ଚଳର ଅଧିକାଂଶ ସରକାରୀ ଅଫିସ ଏବେ ଅନଲାଇନ୍ରେ ସଂଯୁକ୍ତ ହୋଇସାରିଥିବା ବେଳେ, ଆଗାମୀ ଦିନରେ ଆହୁରି ଅଧିକ ଅଫିସକୁ OSWAS ସହ ଯୋଡ଼ାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି । OSWAS ସଫ୍ଟୱେର ବ୍ୟବହାରରେ ସଫଳତା ଦୃଷ୍ଟିରୁ ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜିଲ୍ଲାରେ ପ୍ରଥମ ସ୍ଥାନରେ ରହିଥିବା ଜଣାପଡିଛି ।