ବର୍ତ୍ତମାନ ସାରା ରାଜ୍ୟରେ ଆଳୁକୁ ନେଇ ପଡ଼ିଛି ଚହଳ। ଓଡ଼ିଶା ବଜାରରେ ଏବେ ଆଳୁର ଘୋର ସଙ୍କଟ ଦେଖା ଦେଇଛି। ଏଥିରୁ ବାଦ ପଡିନି ବ୍ରହ୍ମପୁର ମହାନଗର। ଦୈନନ୍ଦିନ ଜୀବନରେ ଆଳୁର ବ୍ୟବହାର ଅତି ଗୁରୁତ୍ୱପୂର୍ଣ୍ଣ ହୋଇ ଥିବାରୁ ଏହା ଆମର ପ୍ରିୟ ପରିବା ରୂପେ ପ୍ରତିଟି ଘରେ ସ୍ଥାନ ପାଇଥାଏ। ଅନ୍ୟପଟେ କିଲୋ ପ୍ରତି ୨୦ ଟଙ୍କାରେ ମିଳୁଥିବା ଆଳୁ ଏବେ କିଲୋ ପ୍ରତି ୪୫ ରୁ ୫୦ ଟଙ୍କାରେ ପହଞ୍ଚିଛି। ଚଢ଼ା ଦରକୁ ଦେଖି ଗ୍ରାହକ ଛାନିଆ ହେବା ସହିତ ଚିନ୍ତାରେ ପଡିଯାଇଛନ୍ତି ।
କିଲୋ ଜାଗାରେ ଅଢ଼େଇଶ,ଅଧ କିଲୋ ନେବା ପାଇଁ ବାଧ୍ୟ ହେଉଛନ୍ତି। ରାଜ୍ୟରେ ଆଳୁ ମରୁଡି ପଡ଼ିବା ସହ ଏହାର ସୁଯୋଗ ନେଇ ବ୍ୟବସାୟୀ ମାନେ ବିଭିନ୍ନ ଆଳ ଦେଖାଇ ମନମୁଖୀ ଦର ବୃଦ୍ଧି କରିବାରେ ଲାଗିଛନ୍ତି। ତେବେ ଏ ନେଇ ବିଭାଗୀୟ ମନ୍ତ୍ରୀ ଆଳୁ କିଲୋ ପ୍ରତି ୩୫ ଟଙ୍କାରୁ ଉର୍ଦ୍ଧ୍ବରେ କୌଣସି ବ୍ୟବସାୟୀ ବିକ୍ରି କଲେ ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲେ ମଧ୍ୟ ଶନିବାର ମାର୍କେଟରେ ଆଳୁ କିଲୋ ପ୍ରତି ୪୫ ରୁ ୫୦ ଟଙ୍କା ମଧ୍ୟରେ ବିକ୍ରି କରl ଯାଉ ଥିବାରୁ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା।
ଅନ୍ୟପଟେ ପ୍ରଶାସନିକ ନିଷ୍କ୍ରିୟତା କାରଣରୁ କୃତ୍ରିମ ଅଭାବ ସୃଷ୍ଟି ହେବା ସହିତ ବ୍ୟବସାୟୀଙ୍କ ମନମୁଖୀ ଦରରେ ରୋକ ଲାଗି ନ ପାରିବା କାରଣରୁ ଗ୍ରାହକ ହନ୍ତସନ୍ତ ହେଉଥିବା କଥା ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି। ତେବେ ପଶ୍ଚିମ ବଙ୍ଗ ସରକାରଙ୍କ ସହ ଆଲୋଚନା ପରେ ଆଳୁ ସମସ୍ୟାକୁ ରୋକିବା ପାଇଁ ରାଜ୍ୟ ସରକାର ଉତ୍ତର ପ୍ରଦେଶରୁ ଆଳୁ ଆମଦାନୀ କରି ପାରନ୍ତି ବୋଲି ସୂଚନା ମିଳିଛି ।