ପୂଜା ପାଉଛନ୍ତି ଅଗ୍ର ପୂଜ୍ୟ ପ୍ରଭୁ ବିଘ୍ନ ବିନାଶକ ଗଣେଶ ପ୍ରଭୂ। ଆପଣମାନେ ଗଣେଶଙ୍କର ତ ଅନେକ ରୂପ ଦେଖିଥିବେ | ପ୍ରଭୁ ଗଜାନନଙ୍କ ତିନୋଟି ପ୍ରତିମୂର୍ତ୍ତି ବନାଯାଇଛି ଯାହାକୁ ଦେଖିବାପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବହୁତ ଭିଡ଼ ଦେଖିବାକୁ ମିଳୁଛି | ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଗଣପତି ବାପାଙ୍କ ପୂଜା ପାଇଁ ସାରା ଦେଶ ଉତ୍ସବ ମୁଖର ଥିବା ବେଳେ ବ୍ୟବସାୟିକ ସହର ଭଦ୍ରକର ପୁରୁଣା ବଜାର ଠାରେ ଐତିହାସିକ ବୁଢା ଗଣେଶ,ଟୋକା ଗଣେଶ ଓ ପିଲା ଗଣେଶ ପୂଜା ମହା ଆଡ଼ମ୍ବରରେ ଚାଳିଛି। ଭଦ୍ରକ ବାସିନ୍ଦାଙ୍କ କହିବାନୁଯାୟୀ, ଦୀର୍ଘ ବର୍ଷ ଧରି ଏଠାରେ ଗଣେଶଙ୍କ ତିନୋଟି ରୂପ ପୂଜା ପାଇ ଆସୁଛନ୍ତି | ଏହାର ଅନେକ କିମ୍ବଦନ୍ତୀ ମଧ୍ୟ ରହିଛି | କୁହାଯାଏ ଯେ ଆଜି ପର୍ଯ୍ୟନ୍ତ ପ୍ରଭୁ ଗଣେଶଙ୍କ ପାଖରେ ଯିଏ ବି ମାନସିକ ରଖିଛି ତାହା କେବେ ବି ନିଷ୍ଫଳ ହୋଇନାହିଁ | ସମସ୍ତ ମାନସିକ ଏଠାରେ ପୂରଣ ହୋଇଥାଏ |
ସ୍ଥାନୀୟ ବାସିନ୍ଦାଙ୍କ କହିବାନୁଯାୟୀ, ଏଠାରେ ମୋଗଲ ସାମ୍ରାଜ୍ୟ ସମୟରୁ ବୁଢାଗଣେଶଙ୍କ ପୂଜା ଆରମ୍ଭ ହୋଇଥିବା ବେଳେ ଟୋକା ଗଣେଶଙ୍କୁ ୧୯୭୦ ମସିହାରୁ ଲୋକେ ପୂଜା କରି ଆସୁଛନ୍ତି । ଏଥର ମୁଖ୍ୟ ଆକର୍ଷଣ ପାଲଟିଛି ପ୍ରଭୁ ଟୋକା ଗଣେଶଙ୍କ ଦେହରେ ଲାଗିଥିବା ୮୫ କେଜିର ଚାନ୍ଦୀ । ଚାନ୍ଦୀ ମେଢ଼ରେ ଦର୍ଶନ ଦେଉଛନ୍ତି ବାବା ଟୋକା ଗଣେଶ। ସେହିପରି ପିଲା ଗଣେଶ ୧୯୯୩ ମସିହାରୁ ପୂଜା ପାଇଆସୁଛନ୍ତି ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ପ୍ରତିକ୍ରିୟା ରଖିଛନ୍ତି | ସର୍ବପୁରାତନ ବୁଢାଗଣେଶ ଚଳନ୍ତି ଡାକୁଆ ଦେବତା ବୋଲି ମଧ୍ୟ କିମ୍ବଦନ୍ତୀରେ ରହିଛି | ଯେ ଯାହା ମାନସିକ କରନ୍ତି ସେ ତାହା ନିଶ୍ଚୟ ପାଇଥାନ୍ତି ବୋଲି ମଧ୍ୟ ଏଠାରେ ପ୍ରବାଦ ରହିଛି |
ଗଣନାଥଙ୍କ ପୂଜା ଭବ୍ୟ ସମାରୋହରେ ଏକ ମାସ ଧରି ହୋଇଥାଏ | ଏକ ମାସ ଯାଏଁ ପ୍ରଭୁଙ୍କ ଦର୍ଶନ ଲାଗି ଭକ୍ତଙ୍କ ଭିଡ ଲାଗିରହିଥାଏ | ଚାରିଆଡୁ ଅନେକ ଶ୍ରଦ୍ଧାଳୁ ବାବା ବୁଢା ଗଣେଶଙ୍କୁ ଦେଖିବାକୁ ଆସିଥାନ୍ତି | ଅନେକ ଲୋକ ତ ଏଠାକୁ ନିଜର ମାନସିକ ନେଇ ଆସିଥାନ୍ତି | ଆଉ ତାହାକୁ ପୂରଣ ମଧ୍ୟ କରିଥାନ୍ତି ବାବା ବୁଢା ଗଣେଶ | ପୂଜା ପାଇବାର ଏକମାସ ପରେ ଗଣପତିଙ୍କୁ ବିସର୍ଜନ ଦିଆଯାଇଥାଏ | ପୂଜା ପାଇଁ ସାରା ଭଦ୍ରକ ସହର ଉତ୍ସବ ମୁଖର ଥିବାବେଳେ ସମସ୍ତେ ଅନେଇ ବସିଥାନ୍ତି ଭସାଣି ଦିନକୁ କାରଣ ଯେତେବେଳେ ଗଣପତି ମେଲାଣି ନିଅନ୍ତି ସେତେବେଳେ ବିଭିନ୍ନ ପାରମ୍ପରିକ ବାଜା ବାଣ ରୋଷଣୀ ରେ ଭଦ୍ରକ ସହର ଫାଟିପଡିଥାଏ | ଐତିହାସିକ ଗଣେଶ ପୂଜା ପାଇଁ ଉତ୍ସବ ମୁଖର ହୋଇପଡିଛି ଭଦ୍ରକ ସହର। ଶାନ୍ତି ଶୃଂଖଳାର ଦର୍ଶନ ସହ କେମିତି ଆରାମରେ ଭକ୍ତ ଯିବେ ସେଥିପାଇଁ ନାନା ପ୍ରକାର ବ୍ୟବସ୍ଥା କରାଯାଇଛି | ଏଥିସହିତ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ମଣ୍ଡପରେ ପୋଲିସ ମୁତୟନ ମଧ୍ୟ କରାଯାଇଛି |
ଅଧିକ ପଢ଼ନ୍ତୁ : ଗଣେଶ ପୂଜାର ବାସି ଭୋଗ ଖାଇ ୫୫ ରୁ ଅଧିକ ଲୋକ ଗୁରୁତର