କଟକ: ବାରବାଟୀ ଟି-୨୦ ମ୍ୟାଚକୁ ନେଇ ରାଜ୍ୟରେ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଛି। ଏହି ମ୍ୟାଚ୍ ପାଇଁ ଅଫଲାଇନରେ ଆସନ୍ତା ୫ ତାରିଖରେ ଟିକେଟ୍ ମିଳିବ। ଏନେଇ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସୁରକ୍ଷା ବ୍ୟବସ୍ଥା ପାଇଁ ମୋଟ ୪୦ ପ୍ଲାଟୁନ ପୋଲିସ ଫୋର୍ସଙ୍କୁ ମୁତାୟନ କରାଯିବ।
ଏଥର ଦଳାଚକଟା ନିୟନ୍ତ୍ରଣ ପାଇଁ ଜିକ୍ କ୍ ଶୈଳୀରେ ବ୍ୟାରିକେଡ୍ ପ୍ରସ୍ତୁତ କରାଯାଉଥିବା ବେଳେ ଦ ୟୁନିଭର୍ସ ନିକଟରୁ ଧାଡ଼ି ଆରମ୍ଭ ହେବ । ୫ଟି କାଉଣ୍ଟରରେ ଟିକେଟ ବିକ୍ରି ହେବ। ଆସନ୍ତା ୩ ଓ ୪ ତାରିଖରେ ଓସିଏ ସହିତ ଅନୁବନ୍ଧିତ ସଂସ୍ଥାକୁ ୧୦ ହଜାର ଟିକେଟ ବିକ୍ରି କରାଯିବାକୁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ୫ ତାରିଖ ଦିନ ୧୦ଟାରୁ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି କରାଯିବ। ଏଥିପାଇଁ କମିଶନରେଟ୍ ପୁଲିସ ୪ ତାରିଖ ସନ୍ଧ୍ୟାରୁ ସେଠାରେ ଫୋର୍ସ ମୁତାୟନ କରିବାକୁ ନିଷ୍ପତ୍ତି ନେଇଛି। ମୋଟ ୪୦ ପ୍ଲାଟୁନ ଫୋର୍ସ ନିୟୋଜିତ ହେବାକୁ ଥିବା ବେଳେ ପ୍ରତି ସିଫ୍ଟରେ ୨୦ ପ୍ଲାଟୁନ ଫୋର୍ସ ରହିବେ। ଗ୍ୟାଲେରୀ ୧ରୁ ୭ ଯାଏଁ ଟିକେଟ ପାଇଁ ୩ଟି କାଉଣ୍ଟର ବାସ୍କେଟବଲ ପଡ଼ିଆ ନିକଟରେ ଖୋଲାଯିବ। ଏଠି ଦୁଇଟି ପୁରୁଷ ଓ ଗୋଟିଏ ମହିଳାଙ୍କ ପାଇଁ କାଉଣ୍ଟର ରହିବ।
ସେହିଭଳି ସ୍ପେଶାଲ ଏନକ୍ଲୋଜର, ଏସି ବକ୍ସ, ନିଉ ପ୍ୟାଭିଲିଅନ୍ ଓ କର୍ପୋରେଟ୍ ବକ୍ସ ଇତ୍ୟାଦି ପାଇଁ ହର୍ସ ଗେଟ୍ ନିକଟରେ ଟିକେଟ ବିକ୍ରି ହେବ। ଏଠାରେ ଗୋଟିଏ ପୁରୁଷ ଓ ଗୋଟିଏ ମହିଳାଙ୍କ ପାଇଁ କାଉଣ୍ଟର ରହିବ। କଳାବଜାରି ନ ହେବା ପାଇଁ ପ୍ରାୟ ୫୦ କ୍ୟାମେରା ଲାଗିବ । ଏହି କ୍ୟାମେରା ଗୁଡ଼ିକୁ କଣ୍ଟ୍ରୋଲ ରୁମ୍ ସହିତ ସଂଯୋଗ କରାଯାଇ ସେଠାରୁ ନିୟନ୍ତ୍ରଣ କରାଯିବ।