କଟକ: ବାରବାଟୀ ଟି-ଟ୍ୱେଣ୍ଟି ମ୍ୟାଚ୍ ପାଇଁ ଦିନ ଯେତିକି ପାଖେଇ ଆସୁଛି କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ିବାରେ ଲାଗିଛି । ଅନଲାଇନ ଟିକେଟ୍ ବିକ୍ରି ଶେଷ ହୋଇଥିଲାବେଳେ ଆଜି ଏବଂ ଆସନ୍ତାକାଲି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ସହିତ ଅନବନ୍ଧିତ ସଂସ୍ଥାଗୁଡ଼ିକ ପାଇଁ ଟିକେଟ୍ ବିକ୍ରି ହେବ ।
ଓସିଏ କନଫରେନ୍ସ ହଲରେ ଏସବିଆଇ ବ୍ୟାଙ୍କ ଜରିଆରେ ଟିକେଟ୍ ବିକ୍ରି ହେବ । ଓସିଏ ସହ ଅନୁବନ୍ଧିତ ବିଭିନ୍ନ କ୍ଲବ୍, ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ ସଂସ୍ଥା ନିଜ ନିଜର କୋଟା ଅନୁସାରେ ଟିକେଟ୍ କିଣିପାରିବେ । ମୋଟ ୪୨ହଜାର ଟିକଟରୁ କେବଳ ୧୧ ହଜାର ଓସିଏ ଅନୁବନ୍ଧିତ ୟୁନିଟ୍ କିଣିବେ । ଡିସେମ୍ବର ୫ରେ ବାରବାଟୀ କାଉଣ୍ଟରରେ ଟିକେଟ୍ ବିକ୍ରି ହେବ । ପ୍ରାୟ ୧୦ ହଜାର ଟିକେଟ୍ ବିକ୍ରି କରାଯିବା ।
ସେପଟେ ଚଳିତ ଥର ପ୍ରଥମ ଥର ପାଇଁ ନାଲି ମାଟି ପିଚରେ ମ୍ୟାଚ୍ ଖେଳାଯିବ । ଗତକାଲି ବିସିସିଆଇ କ୍ୟୁରେଟର୍ ପିଚ୍ ଦେଖିବା ପରେ ଏହି ନିଷ୍ପତ୍ତି ହୋଇଛି । ଏହି ନାଲି ମାଟିର ପିଚ୍ ଚୟନ ପଛରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି । ପ୍ରଥମତଃ ଏହି ନାଲି ପିଚ୍ ସହଜରେ ଆଦ୍ରତା ଶୋଷି ନେଇଥାଏ। ଫଳରେ ସନ୍ଧ୍ୟାରେ କାକର ପଡ଼ିଲେ ମଧ୍ୟ ଖେଳ ଉପରେ କୌଣସି ବିଶେଷ ପ୍ରଭାବ ପକାଇ ନାହିଁ । ଏହା ସହ ଏହି ପିଚ୍ରେ ଭଲ ବାଉନ୍ସ ରହୁଥିବାରୁ ଏହା ଉଭୟ ବ୍ୟାଟ୍ସ ମ୍ୟାନ ଏବଂ ବୋଲର୍ଙ୍କୁ ସୁହାଇବ । ଭଲ ରନ୍ ସ୍କୋର୍ ହେବାର ଅଧିକ ସମ୍ଭାବନା ଥାଏ ।
ପୂର୍ବରୁ ବାରବାଟୀରେ ୨ଟି କଳା ମାଟିର ପିଚ ପାଇଁ ଥିଲା । କଳାହାଣ୍ଡିର କଳା ମାଟିର ପିଚରେ ପ୍ରସ୍ତୁତ ହୋଇ ଥିବା ସେହି ପିଚଗୁଡିକରେ ସମସ୍ତ ମାଚ ଖେଳା ଯାଉଥିଲା । କିନ୍ତୁ ୩ ବର୍ଷ ତଳେ ବାରବାଟୀ ଷ୍ଟାଡିଅମର ପଡିଆର ନବୀକରଣ କରାଯାଇଥିଲା । ଏହି ସମୟରେ ଓସିଏ କର୍ତ୍ତୃପକ୍ଷ ନିଜର ପାରମ୍ପରିକ କଳାହାଣ୍ଡିର କଳା ମାଟିର ପିଚ୍ ସହିତ ମୁମ୍ବାଇରୁ ନାଲି ମାଟି ଆମଦାନୀ କରି ୩ ଟି ଅତିରିକ୍ତ ପିଚ ପ୍ରସ୍ତୁତ କରି ଥିଲେ । କିନ୍ତୁ ଏହି ପିଚ ପ୍ରସ୍ତୁତ ଥିଲେ ମଧ୍ୟ ଗତ ଫେବୃଆରୀ ମାସରେ ଆୟୋଜିତ ହୋଇଥିବା ଦିନିକିଆରେ କଳା ମାଟିର ପିଚକୁ ବ୍ୟବହାର କରାଯାଇଥିଲା ।