ନୟାଗଡ଼ରେ ଅଘଟଣ। ଗତକାଲି ନୟାଗଡ଼ ଜିଲ୍ଲା ରଣପୁର ଏନ୍ଏସି ଅଞ୍ଚଳରେ ଗ୍ୟାସ୍ ଟାଙ୍କି ଫାଟି ଗୋଟିଏ ପରିବାରର ୬ଜଣ ଗୁରୁତର ହୋଇଛନ୍ତି।
ଘଟଣା ଅନୁସାରେ, ସାଧାରଣ ଭାବେ ରୋଷେଇ ଚାଲିଥିବା ବେଳେ ହଠାତ୍ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ମାତ୍ର କିଛି ସେକେଣ୍ଡ ମଧ୍ୟରେ ପୁରା ପରିବାରକୁ ଏହା ଗ୍ରାସ କରିଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ବାପା, ମାଆ, ଦୁଇ ପୁଅ ଓ ଜଣେ ଝିଅ ସହିତ ମୋଟ ୬ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ତୁରନ୍ତ ପଦକ୍ଷେପ ଓ ଉଦ୍ଧାର କାର୍ଯ୍ୟ ପରେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଏମ୍ସ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା।
ହେଲେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର ସମୟରେ ୫୯ ବର୍ଷୀୟ ଗୀତାରାଣୀ ମହାନ୍ତି ଜୀବନ ଯୁଦ୍ଧରେ ହାରିଗଲେ। ତାଙ୍କର ମୃତ୍ୟୁ ପରେ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି। ଅନ୍ୟ ପାଞ୍ଚଜଣଙ୍କ ଅବସ୍ଥା ଏବେ ମଧ୍ୟ ସଙ୍କଟାପନ୍ନ ରହିଛି, ସେମାନେ ଜୀବନ ଓ ମୃତ୍ୟୁ ସହ ଲଢ଼ୁଛନ୍ତି।
ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ବିଧାୟକ ଓ ବାଚସ୍ପତି ସୁରମା ପାଢ଼ୀ ଏମ୍ସରେ ପହଞ୍ଚି ପୀଡ଼ିତ ପରିବାରଙ୍କୁ ଭେଟିଛନ୍ତି ଓ ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ସେ ସରକାର ପକ୍ଷରୁ ସମସ୍ତ ସହାୟତା ଯୋଗାଇବାକୁ ଆଶ୍ୱାସନା ଦେଇଛନ୍ତି।