ରେଢାଖୋଲ: ଜବତ ହେଲା ୨୪ କେଜି ଗଞ୍ଜେଇ ସହ ଏକ ହୋଣ୍ଡା ଆମେଜ କାର୍। ରେଢ଼ାଖୋଲ ବଉଦ ରାସ୍ତାର କେନ୍ଦୁକଟା ଛକରୁ ପୋଲିସ୍ ଏହି ଗଂଜେଇ ଜବତ କରିଛି। ତେବେ ଉକ୍ତ ଗଞେଇ ଚୋରା ଚାଲାଣ କରୁଥିବା ଜଣେ ମାଫିଆକୁ ମଧ୍ୟ ଗିରଫ କରିଛି ପୋଲିସ। ଗିରଫ ମାଫିଆ ଜଣକ ହେଲେ ବଉଦ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ସଲେଇପଦା ଗ୍ରାମର ରଞ୍ଜନ ମହାକୁଡ଼ ବୋଲି ଜଣାପଡିଛି। ତେବେ ପୋଲିସ ଏ ନେଇ ଅଭିଯୁକ୍ତକୁ ଅଧିକ ପଚରାଉଚରା କରୁଛି।
ସୂଚନା ଅନୁସାରେ, ରେଢ଼ାଖୋଲ ବଉଦ ରାସ୍ତାର କେନ୍ଦୁକଟା ଛକରୁ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ରେଢ଼ାଖୋଲ ପୋଲିସ୍ ଖବର ପାଇଥିଲା। ଏହାପରେ ଗଞ୍ଜେଇ ଚାଳକଙ୍କୁ ଧରିବା ପାଇଁ ଏକ ଯୋଜନା କରିଥିଲା। ଯୋଜନା ମୁତାବକ ରେଢ଼ାଖୋଲ ପୋଲିସ୍ ବଉଦ ରେଢ଼ାଖୋଲ ରାସ୍ତାର କେନ୍ଦୁକଟା ଛକ ଠାରୁ ତାରେଣୀ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ନାକା ବନ୍ଦି କରିଥିଲା। ଏପରିକି ରାସ୍ତାରେ ଯାଉଥିବା ଗାଡିମଟର ସବୁ ଯାଞ୍ଚ କରିଥିଲା। ତେବେ ଯାଞ୍ଚ ବେଳେ ଏକ ହୋଣ୍ଡା ଆମେଜ କାରରୁ ୨୪ କେଜିର ଗଞ୍ଜେଇ ଜବତ କରିଥିଲା ପୋଲିସ। ଏହାପରେ ଏକ ମାମଲା ରୁଜୁ କରି ଗଞେଇ ଚୋରା ଚାଲାଣ କରୁଥିବା ଜଣେ ମାଫିଆକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।