ମାର୍ଚ୍ଚ ୨୯ ତାରିଖରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପବିତ୍ର ଅଶୋକାଷ୍ଟମୀ ତଥା ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ l ଏଥିପାଇଁ ଅନୁଷ୍ଠିତ ହୋଇଛି ସମନ୍ବୟ ବୈଠକ । ଏହି ବୈଠକରେ ମନ୍ତ୍ରୀ, ମେୟର, ଏଡିଏମ ପ୍ରଫୁଲ୍ଲ ସ୍ବାଇଁ ଓ ମନ୍ଦିର ନିଯୋଗର ସେବାୟତ ଓ ବିଜୁଳି ବିଭାଗର କର୍ମଚାରୀ ଯୋଗଦେଇଥିଲେ l ମାର୍ଚ୍ଚ ୨୯ ତାରିଖରେ ରୁକଣା ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଏପ୍ରିଲ ୨ ତାରିଖରେ ପ୍ରଭୁଙ୍କ ବାହୁଡା଼ ଯାତ୍ରା ହେବ। ପ୍ରତ୍ୟେକ ବର୍ଷ ଭଳି ଏଥର କିପରି ଶୃଙ୍ଖଳିତ ନିତିକାନ୍ତି ସହ ପାଳନ କରାଯାଇପାରିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା। ଚଳିତ ବର୍ଷ ରଥ କାଠକୁ ନେଇ ବିଭିନ୍ନ ସମସ୍ୟା ଦେଖାଦେବା ସହ ବିଳମ୍ବରେ ପହଞ୍ଚିଥିଲା କାଠ । ତେବେ ରଥ ଠିକ୍ ସମୟରେ ପ୍ରସ୍ତୁତ ହେବ ବୋଲି ପ୍ରତିଶୃତି ଦେଇଛନ୍ତି ମହାରଣା ସେବାୟତ । ୨୯ ତାରିଖ ଭୋର ୫ଟା ସମୟରେ ମଙ୍ଗଳ ଆଳତି ହେବ। ତା’ ପର ଦିନ ପ୍ରାୟ ସାଢ଼େ ଗୋଟାଏରେ ଶ୍ରୀଲିଙ୍ଗରାଜଙ୍କୁ ରଥାରୂଢ଼ କରାଯିବା ପାଇଁ ସ୍ଥିର କରାଯାଇଛି। ଏଥିସହ ରଥଯାତ୍ରା ଓ ବାହୁଡା଼ବେଳେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରାଯିବ। ଜନସାଧାରଣଙ୍କ ସୁବିଧା ପାଇଁ ୨ଟି ଦମକଳ, ଆମ୍ବୁଲାନ୍ସ , ମୋ ବସ ଓ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି।