ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଉତ୍ତର ବଙ୍ଗୋପସାଗରର କେନ୍ଦ୍ରୀୟ ଭାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହା ଉତ୍ତରପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି। ଆସନ୍ତା ୨୪ ଘଣ୍ଟାରେ ଏହା ୱେଲମାର୍କଡ ଲୋ ପ୍ରେସରରେ ପରିଣତ ହେବ। ୩ଦିନ ମଧ୍ୟରେ ଏହା ଦକ୍ଷିଣ ଓଡ଼ିଶା ଓ ଦକ୍ଷିଣ ଛତିଶଗଡ଼ ମୁହାଁ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି। ପ୍ରଭାବରେ ଆଗାମୀ ୫ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଆଗାମୀ ୨୪ ଘଣ୍ଟାରେ ଅତିପ୍ରବଳ ବର୍ଷା ନେଇ ୫ ଜିଲ୍ଲା କନ୍ଧମାଳ,କୋରାପୁଟ, ବୌଦ୍ଧ, ସୋନପୁର, ବଲାଙ୍ଗିରକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାମାନଙ୍କରେ ୭ରୁ ୨୦ ସେମି ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାମାନଙ୍କ ତଳିଆ ଅଞ୍ଚଳରେ ପାଣିଜମିବାର ଆଶଙ୍କା ରହିଛି। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ସହ କଚ୍ଚାରାସ୍ତା ଓ କଚ୍ଚା ଘର କ୍ଷତିଗ୍ରସ୍ତ ହେବାର ମଧ୍ୟ ସମ୍ଭାବନା ରହିଛି। ସେହିପରି ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ପ୍ରବଳ ବର୍ଷା ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।