ପୁରୀ : ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରୁ ନକଲି ଡାକ୍ତର ଗିରଫ । ଯାହା ଜଣାପଡିଛି ଅଟକ ରହିଥିବା ଡାକ୍ତର ଜଣକ ହେଉଛନ୍ତି ନାବାଳକ ।
ସୂଚନା ଅନୁଯାୟୀ ସଦର ମୁଖ୍ୟ ଚିକିତ୍ସାଳୟର ପୁରୁଷ ବିଭାଗରେ ଜଣେ ଯୁବକ ପ୍ରାୟ ସାତଦିନ ହେବ ବେକରେ ଷ୍ଟେଥୋ ସ୍କୋପ ପକାଇବା ସହ ଆଫ୍ରନ ପିନ୍ଧି ଡାକ୍ତର ବେଶରେ ରୋଗୀ ମାନଙ୍କ ସେବା କରୁଥିଲେ । ତେବେ ଡାକ୍ତର ଜଣକ କମ ବୟସ୍କ ଭଳି ଦେଖାଯାଉଥିବାରୁ ମନରେ ସନ୍ଦେହ ଆସିଥିଲେ ବି ଉକ୍ତ ୱାର୍ଡ ରେ କାର୍ଯ୍ୟ କରୁଥିବା ନର୍ସ ମାନେ ପଚାରିବାକୁ ସାହାସ କରୁନଥିଲେ । ତେଣୁ ଏହାର ସୁଯୋଗ ନେଇ ଯୁବକ ଜଣକ ପ୍ରତିଦିନ ମେଡିକାଲ ଆସି ରୋଗୀ ମାନଙ୍କୁ ଚିକିତ୍ସା କରୁଥିଲେ ହେଲେ କାହାକୁ କୌଣସି ମେଡିସିନ ଲେଖୁ ନଥିଲେ । ଏହାପରେ ନର୍ସ ମାନଙ୍କ ମନରେ ଆହୁରି ସନ୍ଦେହ ଜାତ ହୋଇଥିଲା । ଏହାପରେ ନର୍ସ ମାନେ ଉକ୍ତ ଯୁବକଙ୍କୁ ତାର ପରିଚୟ ପଚାରିଥିଲେ । ସେ ତାର ପରିଚୟରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ଛାତ୍ର ଅମି ଆରୁଶ ପରିଡା ଏବଂ ବୟସ ୧୭ ବର୍ଷ । ନିଜ ଘର ସମୁଦ୍ରକୂଳ ଥାନା ଅନ୍ତର୍ଗତ ଗୋରା କବର ଲେନ୍ ବୋଲି କହିଥିଲା । ସେ ଏହି ଡାକ୍ତରୀ ପାଠ ଶିଖିବା ପାଇଁ ମେଡିକାଲକୁ ଆସୁଥିଲା ବୋଲି କହିଥିଲା ।ଏହାପରେ ନର୍ସ ମାନେ ସଙ୍ଗେ ସଙ୍ଗେ ମେଡିକାଲ ଫାଣ୍ଡି ପୋଲିସ ଙ୍କୁ ଡାକି ଉକ୍ତ ଯୁବକ କୁ ତାଙ୍କ ହସ୍ତାନ୍ତର କରିଥିଲେ । ପୋଲିସ ଉକ୍ତ ଯୁବକକୁ ଅଟକ ରଖି ପରିବାରକୁ ଯୋଗାଯୋଗ କରିଛି ।