ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜରେ ଏକ ହାତୀର ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସୂଚନା ଅନୁସାରେ, ରାସଗୋବିନ୍ଦପୁର ରେଞ୍ଜ ତଥା ରାସଗୋବିନ୍ଦପୁର ବ୍ଲକ ଅଧୀନ ନାକିଚୁଆ ସେକ୍ସନରେ କିଛି ଦିନ ହେବ ୭ ଟିକିଆ ଶିମିଳିପାଳ ହାତୀପଲଙ୍କ ଉପଦ୍ରଵ ଦେଖିବାକୁ ମିଳିଥିଲା । କିନ୍ତୁ ଆଜି ଟିଆଖାଇ ନିକଟ ଜଣଙ୍କ ବାଡ଼ିରୁ ଏକ ହାତୀର ମୃତଦେହ ଠାବ କରାଯାଇଛି । ମୃତ ହାତୀର ବୟସ ପାଞ୍ଚରୁ ଛଅ ବର୍ଷ ହେବ । ହାତୀର ମୃତ୍ୟୁ ବିଦ୍ୟୁତ ଆଘାତରେ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି ।
ତଦନ୍ତ ହେଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ରେଞ୍ଜର ଘନଶ୍ୟାମ ସିଂ ସୂଚନା ଦେଇଛନ୍ତି । ତେବେ ହାତୀ ମୃତ୍ୟୁ ହୋଇଥିବା ସ୍ଥାନରେ ଜିଆଇ ତାର ବନ୍ଧା ଥିବା ଦେଖିବାକୁ ମିଳିଛି । ଉକ୍ତ ତାରରେ ବିଦ୍ୟୁତ ସଂଯୋଗ କରିଥିବା କହିଛନ୍ତି ସ୍ଥାନୀୟ ଲୋକେ । ଏହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଖବର ପାଇ ବନବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତଦନ୍ତ ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ଦେଇଛନ୍ତି ରେଞ୍ଜର ଘନଶ୍ୟାମ ସିଂ।