ପୁରୀ/ବ୍ରହ୍ମଗିରୀ: ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଶେଷ ହେବା ପରେ ଅଣସର ଘରକୁ ଯିବେ ବିଶ୍ବ ନିୟନ୍ତା । ଆସନ୍ତାକାଲି ଠାରୁ ଶ୍ରୀଅଲାରନାଥ ଭକ୍ତଙ୍କୁ ଦର୍ଶନ ଦେବେ। ଆସନ୍ତାକାଲି ଭୋର ୪ଟାରେ ମନ୍ଦିରର ଦ୍ବାରଫିଟା ନୀତି, ମଙ୍ଗଳା ଆଳତୀ, ଅବକାଶ, ବେଶ, ଚନ୍ଦନ ତୁଳସୀଲାଗି, ଗୋପାଳବଲ୍ଲଭ, ସୂର୍ଯ୍ୟପୂଜା, ରୋଷହୋମ ଇତ୍ୟାଦି ନୀତି ଅନୁଷ୍ଠିତ ହେବ। ସକାଳ ୬ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ଅପରାହ୍ନ ୨ଟ ୧୦ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ରାତି ୮ଟାରେ ସନ୍ଧ୍ୟା ଆଳତୀ, ମଇଲମ, ତଡ଼ପଲାଗି, ସନ୍ଧ୍ୟାଧୂପ, ରାତି ୯ଟାରୁ ୧୨ଟା ପର୍ଯ୍ୟନ୍ତ ଦର୍ଶନ ଜାରି ରହିବ। ରାତି ୧୨ଟାରେ ବଡ଼ସିଂହାର ବେଶ, ଧୂପ ପରେ ରାତି ଗୋଟିଏରେ ପହଡ଼ ନୀତି ଅନୁଷ୍ଠିତ ହେବ।
ଏଥିପାଇଁ ବ୍ରହ୍ମଗିରିରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ ହେବେ। ୭ ପ୍ଲାଟୁନ ପୁଲିସ୍ ସହ ଜଣେ ସେକ୍ସନ ଫୋର୍ସ ସାଦା ପୋଷାକରେ ରହିବେ। ସେହିପରି ଜଣେ ଅତିରିକ୍ତ ପୁଲିସ ଅଧୀକ୍ଷକ, ୪ ଜଣ ଡିଏସ୍ପି, ୩ ଜଣ ଇନ୍ସପେକ୍ଟ, ୧୭ ଜଣ ଏସ୍ଆଇ/ଏଏସ୍ଆଇ, ୪ ଜଣ ହାବିଲଦାର, ୬ ଜଣ କନଷ୍ଟେବଳ, ୫୬ ଜଣ ଗୃହରକ୍ଷୀ, ୧୦ ଜଣ ଟ୍ରାଫିକ ପୁଲିସ ଉପସ୍ଥିତ ରହିବେ। ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ବାହାନ ପାର୍କିଂ ପାଇଁ ମଧ୍ୟ ମାର୍ଗଦର୍ଶିକା ଜାରି ହୋଇଛି।